ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ପଦାର୍ଥ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ସିଏସଆଇଆର୍-ଆଇଏମ୍ଏମଟି) ଠାରେ ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ଆନ୍ତଃ-ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି, ଯୋଜନା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଭାରତ ସରକାରଙ୍କ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ କୌଶଳଗତ ସଂଯୋଗ ଓ ଆନ୍ତଃ-ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାସହ ବୈଠକରେ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ହାସଲ କରାଯାଇଥିବା ପ୍ରମୁଖ ସଫଳତା, ନୂତନ ପଦକ୍ଷେପ ଏବଂ ଉତ୍ତମ କାର୍ଯ୍ୟଶୈଳୀ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା।
ଏହି ବୈଠକରେ ଅଧ୍ୟକ୍ଷତା କରି ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଚିନ୍ତନଶୀଳ, ବୁଦ୍ଧିମତ୍ତାପୂର୍ଣ୍ଣ ଏବଂ କାର୍ଯ୍ୟ-ଉନ୍ମୁଖୀ ସଞ୍ଚାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରାମାୟଣରୁ ଉଦାହରଣ ଦେଇ ସେ ଆବେଗପୂର୍ଣ୍ଣ ଓ ତରବରିଆ ସଞ୍ଚାରରୁ ଦୂରେଇ ରହିବା ସହ କୌଣସି ବାର୍ତ୍ତା ଦେବା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତଥ୍ୟ ସଂଗ୍ରହ ଏବଂ ଧ୍ୟାନପୂର୍ବକ ଶୁଣିବାର ଆବଶ୍ୟକତାକୁ ରେଖାଙ୍କିତ କରିଥିଲେ।
ଭଗବାନ ରାମଙ୍କ ସଞ୍ଚାର ଶୈଳୀର ସନ୍ଦର୍ଭ ଦେଇ ଶ୍ରୀ ମିଶ୍ର ନୀରବତା, ଧୈର୍ଯ୍ୟ ଏବଂ ତଥ୍ୟ ସଂଗ୍ରହର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେତେବେଳେ କି ହନୁମାନଙ୍କୁ ସ୍ପଷ୍ଟତା, ସଠିକ୍ ଶବ୍ଦ, ରଣନୈତିକ ସନ୍ଦେଶ ଏବଂ କାର୍ଯ୍ୟର ସମ୍ମିଶ୍ରଣ କରୁଥିବା ଜଣେ ଆଦର୍ଶ ସଞ୍ଚାରକ ଭାବରେ ଉଦାହରଣ ଦେଇଥିଲେ। “କାର୍ଯ୍ୟ ବିନା ସଞ୍ଚାର ଆଦୌ ସଞ୍ଚାର ନୁହେଁ; ଏହା କେବଳ ପ୍ରସାରଣ,” ବୋଲି କହିବା ସହ ସଞ୍ଚାରକମାନେ କେବଳ ତଥ୍ୟର ପ୍ରସାରଣ ନକରି ଘଟଣାବଳୀ ସହ ସକ୍ରିୟ ଭାବେ ଜଡ଼ିତ ହେବା ଉଚିତ ବୋଲି ସେ ଗୁରୁତ୍ୱ ଦେଇଥିଲେ।
ମୁଖ୍ୟ ଅତିଥି ଭାବରେ ସମାବେଶକୁ ସମ୍ବୋଧିତ କରି ସିଏସଆଇଆର-ଆଇଏମ୍ଏମ୍ଟି ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ନବସୃଜନଗୁଡ଼ିକୁ ସରଳ, ସୃଜନଶୀଳ ଏବଂ ଗ୍ରହଣଯୋଗ୍ୟ ଢଙ୍ଗରେ ସଞ୍ଚାର କରିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇଥିଲେ। ବୈଜ୍ଞାନିକ ସଫଳତା ଯେପରି ସମାଜର ବ୍ୟାପକ ବର୍ଗଙ୍କ ପାଖରେ ପହଞ୍ଚିପାରିବ, ତାହା ନିଶ୍ଚିତ କରିବା ପାଇଁ ସେ ବୈଜ୍ଞାନିକ ଅନୁଷ୍ଠାନ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ଅଧିକ ଦୃଢ଼ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ।
ଫାର୍ମାସ୍ୟୁଟିକାଲ୍ସ, କୃଷି, ଜାତୀୟ ମାନକ, ମହାକାଶ ପ୍ରଯୁକ୍ତିବିଦ୍ୟା, ପଦାର୍ଥ ବିଜ୍ଞାନ, ଖଣି ଏବଂ ଧାତୁବିଜ୍ଞାନ ଅନ୍ତର୍ଭୁକ୍ତ କ୍ଷେତ୍ରଗୁଡ଼ିକରେ ଭାରତର ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ବିକାଶରେ ସିଏସଆଇଆରର ଯୋଗଦାନକୁ ସେ ରେଖାଙ୍କିତ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ମୃତ୍ତିକା ଉପାଦାନ, ସର୍କୁଲାର୍ ଇକୋନୋମି, ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ପୁନରୁଦ୍ଧାର, ପ୍ଲାଟିନମ୍ ଗ୍ରୁପ୍ ଧାତୁ, ଫ୍ଲାଇ ଆଶ୍ ବ୍ୟବହାର ଏବଂ ହାଇଡ୍ରୋଜେନ୍-ଆଧାରିତ ଡିଆରଆଇ କ୍ଷେତ୍ରରେ ସିଏସଆଇଆର-ଆଇଏମ୍ଏମ୍ଟି ର କାର୍ଯ୍ୟ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
ଏହି ବୈଠକରେ ସଦସ୍ୟ ସଂସ୍ଥାଗୁଡ଼ିକଦ୍ୱାରା ସେମାନଙ୍କର ପ୍ରମୁଖ ସଫଳତା ଏବଂ ସର୍ବୋତ୍ତମ କାର୍ଯ୍ୟପନ୍ଥା ଉପରେ ଉପସ୍ଥାପନା କରାଯାଇଥିଲା, ଯାହା ପରେ ଜନସମ୍ପର୍କକୁ ମଜବୁତ୍ କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ମଞ୍ଚଗୁଡ଼ିକର ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ବୈଠକର ଆରମ୍ଭ ଆଇଏମ୍ପିସିସି ଓଡ଼ିଶା ଅଞ୍ଚଳର ସଦସ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଚୌଧୁରୀଙ୍କ ସ୍ୱାଗତ ଭାଷଣରୁ ହୋଇଥିଲା ଏବଂ ସିଏସଆଇଆର-ଆଇଏମ୍ଏମ୍ଟିର ମୁଖ୍ୟ ବୈଜ୍ଞାନିକ ଡ. ସତ୍ୟଜିତ୍ ରଥଙ୍କ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା।
ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଗଣମାଧ୍ୟମ ୟୁନିଟ୍, ବିଭାଗ, ସରକାରୀ ଉଦ୍ୟୋଗ ଏବଂ ସ୍ୱ-ଶାସିତ ଅନୁଷ୍ଠାନଗୁଡ଼ିକର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱସ୍ଥିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁଚିତ୍ରା ସାମଲ; ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କର; ସିଏସଆଇଆର-ଆଇଏମ୍ଏମ୍ଟିର ପ୍ରଶାସନିକ ନିୟନ୍ତ୍ରକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାଶ; ବ୍ରହ୍ମପୁରସ୍ଥିତ ଆଇଆଇଏସଇଆର ପ୍ରଫେସର ଓ ଡିନ୍ ଶ୍ରୀ ଜୟଦୀପ ମୁଖୋପାଧ୍ୟାୟ; ଆଞ୍ଚଳିକ ଶିକ୍ଷା ସଂସ୍ଥାନ, ଏନସିଇଆରଟି, ସହକାରୀ ପ୍ରଫେସର ଡ. ଦେବାଶିଷ ମହାପାତ୍ର; ଏମଏସଏମଇ ମନ୍ତ୍ରଣାଳୟ ସହକାରୀ ନିର୍ଦ୍ଦେଶକ ଶ୍ରୀ ଜଗଦୀଶ ସାହୁ; ଟେଲିକମ୍ ବିଭାଗ, ସିସିଏ କାର୍ଯ୍ୟାଳୟ ବରିଷ୍ଠ ଲେଖା ଅଧିକାରୀ ଶ୍ରୀ ସତ୍ୟବ୍ରତ ପାତ୍ର; ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ପ୍ରମୁଖ କ୍ୟୁରେଟର ଓ କେନ୍ଦ୍ର ପ୍ରମୁଖ ଶ୍ରୀ କପିଲ ଜୈନ; ଏନଆଇଟି ରାଉରକେଲାର ଜନସମ୍ପର୍କ ଅଧିକାରୀ ଶ୍ରୀ ଅଭିଜିତ୍ ପଟ୍ଟନାୟକ; ଏନସିଏସସିର ଉପ-ଆଞ୍ଚଳିକ ନିଯୁକ୍ତି ଅଧିକାରୀ ଶ୍ରୀ ତପନ କୁମାର ରାଉଳ; ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦଳାଇ; ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ୱର ସର୍କଲର ଏସଏସଏ ଶ୍ରୀ ଅମିତ କୁମାର ଆଚାର୍ଯ୍ୟ; ସଞ୍ଚାର ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟର ଉପ-ସଞ୍ଚାର ଲେଖା ନିୟନ୍ତ୍ରକ ଶ୍ରୀ ସୁକାନ୍ତ କୁମାର ଦାସ; ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମ୍ବାଦ ସମ୍ପାଦକ ଶ୍ରୀ ସୁଦର୍ଶନ ସାହୁ; ଆକାଶବାଣୀ କଟକ ନ୍ୟୁଜ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ଏସ.ଏନ. ପଟ୍ଟନାୟକ; ଆକାଶବାଣୀ କଟକର ସମ୍ବାଦ ସମ୍ପାଦକ ଶ୍ରୀ ନିର୍ମାଲ୍ୟ ବେହେରା; ପିଆଇବି ଭୁବନେଶ୍ୱରର ଉପ-ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଜାଲି; ସହକାରୀ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା; ଗଣମାଧ୍ୟମ ଓ ସଞ୍ଚାର ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ; ସୂଚନା ସହକାରୀ ଶ୍ରୀ ବିକାଶ ରଞ୍ଜନ ଦଳାଇ; ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ କୁମାରୀ ସସ୍ମିତା ପାଇକରାୟ ପ୍ରମୁଖ ସାମିଲ ଥିଲେ।


