ଭୁବନେଶ୍ୱର: ଇଗ୍ନୋ (ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ)ର କ୍ୟାମ୍ପସ୍ ପ୍ଲେସମେଣ୍ଟ ସେଲ୍ ତଥା ଭୁବନେଶ୍ୱର ଓ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ‘କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି’ (CII) ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ ୭ ଅକ୍ଟୋବର ୨୦୨୬ ତାରିଖରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) ଏବଂ Non-STEM କ୍ଷେତ୍ରରେ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୮୯ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ଆକ୍ସିସ୍ ବ୍ୟାଙ୍କ୍, ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ (Foxconn), ଟାଫ୍ (TAFF), ବ୍ଲିଙ୍କିଟ୍ (Blinkit), ବଜାଜ୍ ଫାଇନାନ୍ସ ଲିମିଟେଡ୍, ଟିମ୍ ଲିଜ୍ ପ୍ରାଇଭେଟ୍ ଲିମିଟେଡ୍, ଜିନ୍ଦଲ୍, ବିଗ୍ ବାସ୍କେଟ୍, THK, Quees, ଶାହି ଗାର୍ମେଣ୍ଟସ୍, ଅଶ୍ମିତା ହଲିଡେଜ୍, ପ୍ରିମିଟିଭ୍ ହେଲ୍ଥ କେୟାର, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ, ମେଡ୍ ପ୍ଲସ୍ ଏବଂ ରଶ୍ମି ଆଉଟସୋର୍ସିଂ ଭଳି ବିଭିନ୍ନ କ୍ଷେତ୍ରର ୧୫ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ।
ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଇଗ୍ନୋ ଭୁବନେଶ୍ୱର ଏବଂ ରାଇରଙ୍ଗପୁର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ମୁଖ୍ୟ ଡକ୍ଟର ଏମ.କେ. ଦାଶ ଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ IGNOU ଦ୍ୱାରା ପ୍ରଦାନ କରାଯାଇଥିବା ଦକ୍ଷତା ଏବଂ ଇଣ୍ଟର୍ନସିପ୍ ସୁବିଧା ସେମାନଙ୍କୁ ବୃତ୍ତିଗତ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ପ୍ରକାରର ପ୍ଲେସମେଣ୍ଟ ଡ୍ରାଇଭ୍ ସମୟାନୁସାରେ କରାଯିବ। ଅଜୟ ମିଶ୍ର, ମୁଖ୍ୟ, ସି.ଆଇ.ଆଇ. ସ୍କିଲ୍ସ, ଓଡ଼ିଶା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। ୨୯୮ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପଦବୀ ପାଇଁ ଚୟନିତ ହୋଇଛନ୍ତି । ଏହି ପଦକ୍ଷେପ ଇଗ୍ନୋ, ସି.ଆଇ.ଆଇ. ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ଶିଳ୍ପ-ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ପ୍ରଭାବଶାଳୀ ଶିକ୍ଷା-ନିଯୁକ୍ତି ପଥ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧତାକୁ ସୁଚାଇ ଥାଏ।


