ନୂଆଦିଲ୍ଲୀ: ମୃତ୍ୟୁ ସହ ଲଢ଼ି ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ସମ୍ମାନ। ଫ୍ଲାଏଦୁବାଇ ବିମାନର କକପିଟ୍ରେ ସହ-ପାଇଲଟଙ୍କ ଭୟଙ୍କର ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ସେ ଯେଉଁ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିଲେ, ତାହା ଏକ ବଡ଼ ବିମାନ ଦୁର୍ଘଟଣାକୁ ରୋକିବାରେ ସହାୟକ ହୋଇଥିଲା। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଏହି ସମ୍ମାନ ଦେବାକୁ ଘୋଷଣା କରିଛନ୍ତି। କ୍ୟାପ୍ଟେନ୍ ମାଚ୍ଛର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ଘଟିଥିଲା ଏହି ଭୟାବହ ଘଟଣା। ବିମାନରେ ୧୭୪ ଜଣ ଯାତ୍ରୀଙ୍କ ସମେତ କ୍ରୁ ସଦସ୍ୟ ଥିଲେ। ଅଭିଯୋଗ ଅନୁଯାୟୀ, ଓମାନର ନାଗରିକ ସହ-ପାଇଲଟ୍ ହମାମ୍ ଅଲ୍-ହାମାମି କକପିଟ୍ରେ ବ୍ୟବହୃତ ଜରୁରୀକାଳୀନ କୁରାଢ଼ି ସାହାଯ୍ୟରେ କ୍ୟାପ୍ଟେନ୍ ମାଚ୍ଛରଙ୍କ ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣରେ କ୍ୟାପ୍ଟେନ୍ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ବିମାନଟି ମଧ୍ୟ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା। ଏଭଳି ସଙ୍କଟଜନକ ପରିସ୍ଥିତିରେ ମଧ୍ୟ କ୍ୟାପ୍ଟେନ୍ ମାଚ୍ଛର ହାର ମାନିନଥିଲେ। ଗୁରୁତର ଆହତ ଅବସ୍ଥାରେ ସେ କକପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଫଳରେ ବିମାନରେ ଥିବା ଯାତ୍ରୀମାନେ କକପିଟ୍ରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିବାରେ ସହାୟତା କରିପାରିଥିଲେ।
ଘଟଣା ସମୟରେ ବିମାନଟି ପ୍ରାୟ ୧୪,୦୦୦ରୁ ୧୬,୦୦୦ ଫୁଟ୍ ପର୍ଯ୍ୟନ୍ତ ଦ୍ରୁତ ଗତିରେ ତଳକୁ ଖସିଥିବା ରିପୋର୍ଟରେ କୁହାଯାଇଛି। କକପିଟ୍ରେ ପ୍ରବେଶ କରିଥିବା ଯାତ୍ରୀମାନେ ସହ-ପାଇଲଟଙ୍କୁ କାବୁ କରିଥିଲେ। ଏହାପରେ ବିମାନର ନିୟନ୍ତ୍ରଣ ସମ୍ଭାଳିବାରେ ଅନ୍ୟ ପାଇଲଟ୍ମାନେ ସହଯୋଗ କରିଥିଲେ। ଶେଷରେ ବିମାନଟି ସାଉଦି ଆରବର ତାବୁକ୍ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା।
କ୍ୟାପ୍ଟେନ୍ ମାଚ୍ଛରଙ୍କ ସାହସିକ ପଦକ୍ଷେପ, ଯାତ୍ରୀଙ୍କ ତ୍ୱରିତ ହସ୍ତକ୍ଷେପ ଏବଂ ଅନ୍ୟ ପାଇଲଟ୍ମାନଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଥିଲା। ଏହି ଘଟଣାର ତଦନ୍ତ ଚାଲିଛି।
ଘଟଣା ପରେ ଗୁରୁତର ଆହତ କ୍ୟାପ୍ଟେନ୍ ମାଚ୍ଛରଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିସ୍ଥିତ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ରିପୋର୍ଟ ହୋଇଛି। ତାଙ୍କର ସାହସିକତାକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲର ଅନ୍ୟ ଶୀର୍ଷ ନେତାମାନେ ପ୍ରଶଂସା କରିଛନ୍ତି। ମାଚ୍ଛରଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ମଧ୍ୟ କ୍ୟାପ୍ଟେନ୍ ମାଚ୍ଛରଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, ମାଚ୍ଛରଙ୍କ ଅସାଧାରଣ ସାହସ ଏବଂ ବୃତ୍ତିଗତ ଦକ୍ଷତା ଏକ ବଡ଼ ଦୁଃଖଦ ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଛି। ସେ ସୁସ୍ଥ ହେବା ପରେ ଇସ୍ରାଏଲ ପକ୍ଷରୁ ତାଙ୍କୁ ନାଗରିକ ସାହସିକତା ପୁରସ୍କାର ପ୍ରଦାନ କରାଯିବ।
ଏହି ଘଟଣାରେ କେବଳ ଭାରତୀୟ ପାଇଲଟ୍ ନୁହନ୍ତି, ବରଂ ବିମାନରେ ଥିବା କିଛି ଇସ୍ରାଏଲୀ ନାଗରିକ ମଧ୍ୟ ସାହସିକତାର ପରିଚୟ ଦେଇଥିଲେ। ସେମାନେ ଆକ୍ରମଣକାରୀଙ୍କୁ କାବୁ କରିବା, ବିମାନର ସ୍ଥିତି ସମ୍ଭାଳିବା ଏବଂ ଆହତ ପାଇଲଟଙ୍କୁ ସହାୟତା କରିବାରେ ଭୂମିକା ନେଇଥିଲେ।
ଅକ୍ଟୋବର ୮ ତାରିଖରେ ଇସ୍ରାଏଲର ରାଷ୍ଟ୍ରପତି ଏହି ଘଟଣାରେ ସାହସିକତା ଦେଖାଇଥିବା ଛଅ ଜଣ ଇସ୍ରାଏଲୀ ନାଗରିକଙ୍କୁ ରାଷ୍ଟ୍ରପତିଙ୍କ ନାଗରିକ ସାହସିକତା ପଦକ ପ୍ରଦାନ କରିଥିଲେ। ଏବେ ଭାରତୀୟ ପାଇଲଟ୍ ସ୍ମିତ୍ ମାଚ୍ଛରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯିବା ନେଇ ଘୋଷଣା ହୋଇଛି। ଏକ ସଙ୍କଟଜନକ ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ବଞ୍ଚାଇବାର ଏହି ଘଟଣା ବିମାନ ଚଳାଚଳ ଇତିହାସରେ ସାହସ, କର୍ତ୍ତବ୍ୟନିଷ୍ଠା ଓ ମାନବିକତାର ଏକ ଉଦାହରଣ ଭାବେ ଚର୍ଚ୍ଚାକୁ ଆସିଛି।


