କେନ୍ଦୁଝର: ସାମାନ୍ୟ ପାରିବାରିକ କଳହରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ। ଖାଇବାକୁ ମାଗିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବଚସା ଶେଷରେ ନେଲା ଜୀବନ। ଉତ୍ତ୍ୟକ୍ତ ହୋଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଚାରି ଦିନ ପରେ ପୁଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କୁଶକଳା ଗ୍ରାମର କାଳିଆଡ଼ିହି ସାହିରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି ମେଂଜତି ମୁଣ୍ଡା। ତାଙ୍କ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗଲୁ ମୁଣ୍ଡା ମଙ୍ଗଳବାର ଦିନ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ମେଂଜତିଙ୍କୁ ଖାଇବାକୁ ମାଗିଥିଲେ। ତେବେ ମେଂଜତି ମଧ୍ୟ ନିଶାସକ୍ତ ଥିବା କୁହାଯାଉଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହଠାତ୍ ବଚସା ଆରମ୍ଭ ହୋଇଥିଲା। କଥା କଟାକଟିରୁ ପରିସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ଅଭିଯୁକ୍ତ ସ୍ୱାମୀ ରାଗରେ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏଥିରେ ମେଂଜତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ହତ୍ୟାକାଣ୍ଡ ଘଟାଇବା ପରେ ଗଲୁ ମୁଣ୍ଡା ସ୍ତ୍ରୀଙ୍କ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ଫିଙ୍ଗିଦେଇଥିଲେ। ଏହାପରେ ଘଟଣା ସମ୍ପର୍କରେ ତୁରନ୍ତ ପୁଲିସକୁ ଖବର ମିଳିନଥିଲା। ଚାରି ଦିନ ପରେ ମୃତକଙ୍କ ପୁଅ ନୟାକୋଟ ପୁଲିସକୁ ଏ ସମ୍ପର୍କରେ ଜଣାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି। ନୟାକୋଟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟା ପଛର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି।


