ମାର୍ଶାଘାଇ: ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଧନ ଓରଫ ଧନେଶ୍ୱର ନାଥ (୨୭) ଏବଂ ଯଦୁପୁର ଗ୍ରାମର ସୁବ୍ରତ ବେହେରା (୪୦)ଙ୍କୁ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ତପନ ନାୟକ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଅପରାହ୍ନ ସମୟରେ ୨୨ ବର୍ଷୀୟା ମାନସିକ ଭିନ୍ନକ୍ଷମ ଯୁବତୀଜଣକ ନିଜ ଭଉଣୀ ଘରକୁ ଯିବା ପାଇଁ ଘରୁ ବାହାରି ରାସ୍ତାରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତଦ୍ୱୟ ଏକ ମୋଟରସାଇକେଲ ଯୋଗେ ଆସି ଯୁବତୀଙ୍କ ନିକଟରେ ଅଟକିଥିଲେ ଏବଂ “ଆମ ସାଙ୍ଗରେ ଆସ, ତୁମ ଭଉଣୀ ଘରେ ଛାଡ଼ିଦେବୁ” କହି ମୋଟରସାଇକେଲରେ ବସାଇ ନେଇଥିଲେ। କିନ୍ତୁ ସେମାନେ ଭଉଣୀ ଘରକୁ ନ ନେଇ ନିକଟସ୍ଥ ଭୂତମୁଣ୍ଡାଇ ବଜାର ନିକଟରେ ରହିଥିବା ବ୍ରିଜ୍ ତଳକୁ ନେଇଥିଲେ ଏବଂ ସେହି ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ଘଟାଇ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।
ପରବର୍ତ୍ତୀ ସମୟରେ ଯୁବତୀଜଣକ କୌଣସିମତେ ସେହି ସ୍ଥାନରୁ ଆସି ସ୍ଥାନୀୟ ଓସ୍ତର ବଜାରରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ ଏବଂ ଯୁବତୀଜଣକ ନିଜ ସହିତ ଘଟିଥିବା ସମସ୍ତ କଥା ପରିବାରବର୍ଗଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।


