ନୂଆଦିଲ୍ଲୀ: ସମୁଦ୍ର ମଝିରେ ଜଳଦସ୍ୟୁଙ୍କ ଆତଙ୍କ। ଅସ୍ତ୍ରଶସ୍ତ୍ର ଧରି ମାଛଧରା ଜାହାଜକୁ କବ୍ଜା କରିନେଲେ ସଶସ୍ତ୍ର ଡକାୟତ। ବନ୍ଦୀ ହୋଇ ରହିଥିଲେ ୨୦ ଜଣ କ୍ରୁ ସଦସ୍ୟ। ହେଲେ ଜଳଦସ୍ୟୁଙ୍କ ଏହି ଦୁଃସାହସର ଜବାବ ଦେଲା ଭାରତ। ସମୁଦ୍ରରେ ଯୁଦ୍ଧଜାହାଜ, ଆକାଶରେ ନିରୀକ୍ଷଣ ବିମାନ ଏବଂ ହଠାତ୍ ଆକାଶରୁ ଅବତରଣ କଲେ ସାମୁଦ୍ରିକ କମାଣ୍ଡୋ। ଦୀର୍ଘ ୪୮ ଘଣ୍ଟାର ଅପରେସନ ପରେ ଜଳଦସ୍ୟୁଙ୍କ କବଳରୁ ଜାହାଜକୁ ମୁକ୍ତ କରିବା ସହ ସମସ୍ତ ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା। ଏହି ଅପରେସନରେ କେହି ମୃତାହତ ହୋଇନଥିବା ନୌସେନା ପକ୍ଷରୁ କୁହାଯାଇଛି।
ସୋମାଲିଆର ଉତ୍ତର-ପୂର୍ବ ଉପକୂଳରେ ଗତ ମାସରେ ଏହି ଘଟଣା ଘଟିଥିଲା। ସଶସ୍ତ୍ର ଜଳଦସ୍ୟୁଙ୍କ ଏକ ଗୋଷ୍ଠୀ ମାଛଧରା ଜାହାଜ ‘ଅଜିନି’କୁ ଅପହରଣ କରିନେଇଥିଲେ। ଜାହାଜରେ ଥିବା ୨୦ ଜଣ କ୍ରୁ ସଦସ୍ୟ ଜଳଦସ୍ୟୁଙ୍କ କବଳରେ ଫସି ରହିଥିଲେ। ଏହି ଘଟଣା କେବଳ ଜାହାଜରେ ଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ ନୁହେଁ, ବରଂ ସମଗ୍ର ଅଞ୍ଚଳର ସାମୁଦ୍ରିକ ସୁରକ୍ଷା ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରିଥିଲା।
ଆଶଙ୍କା କରାଯାଉଥିଲା ଯେ, ଜଳଦସ୍ୟୁମାନେ ଏହି ମାଛଧରା ଜାହାଜକୁ ଏକ ‘ମାତୃ ଜାହାଜ’ ଭାବେ ବ୍ୟବହାର କରି ଭାରତ ମହାସାଗରରେ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆଗକୁ ଆକ୍ରମଣ କରିପାରନ୍ତି। ଏହି ବିପଦକୁ ଗୁରୁତ୍ୱର ସହ ନେଇ ଭାରତୀୟ ନୌସେନା ତୁରନ୍ତ ଅପରେସନ ଆରମ୍ଭ କରିଥିଲା।
ଅପରେସନକୁ ସଫଳ କରିବା ପାଇଁ ଭାରତୀୟ ନୌସେନା ଏକ ଯୁଦ୍ଧଜାହାଜ ମୁତୟନ କରିଥିଲା। ଏହା ସହ ଏକ ସାମୁଦ୍ରିକ ନିରୀକ୍ଷଣ ବିମାନ ମଧ୍ୟ ଅଭିଯାନରେ ସାମିଲ ହୋଇଥିଲା। ଉଭୟ ପକ୍ଷରୁ ନିରନ୍ତର ନଜର ରଖାଯାଇ ଅପହୃତ ଜାହାଜର ଅବସ୍ଥିତି ଠାବ କରାଯାଇଥିଲା।
ଜଳଦସ୍ୟୁମାନେ ଯେପରି ଜାହାଜ ନେଇ ଖସିଯାଇ ନପାରନ୍ତି, ସେଥିପାଇଁ ଏହାର ଗତିବିଧି ଉପରେ ଲଗାତାର ନଜର ରଖାଯାଇଥିଲା। ଏହାପରେ ଜାହାଜକୁ ଅଟକାଇବା ପାଇଁ ଅସ୍ତ୍ର ପ୍ରୟୋଗ ନକରି ବିଭିନ୍ନ କୌଶଳ ଅବଲମ୍ବନ କରାଯାଇଥିଲା।
ଏହି ଅପରେସନର ସବୁଠାରୁ ରୋମାଞ୍ଚକର ଦିଗ ଥିଲା ଆକାଶମାର୍ଗରୁ କମାଣ୍ଡୋଙ୍କ ଅବତରଣ। ଭାରତୀୟ ବାୟୁସେନାର C-17 ବିମାନ ସାମୁଦ୍ରିକ କମାଣ୍ଡୋଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଆକାଶରୁ ଅବତରଣ କରାଇବାରେ ସହାୟତା କରିଥିଲା। ଏହାଦ୍ୱାରା ଅପରେସନରେ କମାଣ୍ଡୋଙ୍କ ସଂଖ୍ୟା ଓ ଶକ୍ତି ବୃଦ୍ଧି କରାଯାଇଥିଲା।
ନୌସେନା ଓ ବାୟୁସେନାର ମିଳିତ ରଣନୀତି ଜଳଦସ୍ୟୁଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା। ଶେଷରେ ଭାରତୀୟ କମାଣ୍ଡୋମାନେ ଜାହାଜକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଜଳଦସ୍ୟୁଙ୍କ ବିପଦକୁ ନିଷ୍କ୍ରିୟ କରିବା ସହ ଜାହାଜରେ ଥିବା ସମସ୍ତ ୨୦ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ୪୮ ଘଣ୍ଟାର ଏହି ଅପରେସନରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ନାହିଁ।
ଏହି ସଫଳ ଅଭିଯାନକୁ ଭାରତୀୟ ନୌସେନାର ଉଚ୍ଚ କାର୍ଯ୍ୟକ୍ଷମତା ଓ ବିଭିନ୍ନ ସୁରକ୍ଷା ବାହିନୀ ମଧ୍ୟରେ ସମନ୍ୱୟର ଏକ ବଡ଼ ଉଦାହରଣ ବୋଲି କୁହାଯାଇଛି। ନୌସେନା ଅନୁସାରେ, ଜଟିଳ ସାମୁଦ୍ରିକ ସୁରକ୍ଷା ଅଭିଯାନକୁ ସଫଳତାର ସହ ପରିଚାଳନା କରିବାରେ ଭାରତର ସାମର୍ଥ୍ୟ ଏହି ଅପରେସନରୁ ପ୍ରମାଣିତ ହୋଇଛି।
ଭାରତ ମହାସାଗର ଅଞ୍ଚଳରେ ପ୍ରଥମ ପ୍ରତିକ୍ରିୟାକାରୀ ଏବଂ ପସନ୍ଦର ସୁରକ୍ଷା ସହଯୋଗୀ ଭାବେ ନିଜର ଭୂମିକା ବଜାୟ ରଖିବାକୁ ଭାରତ ପ୍ରତିବଦ୍ଧ ବୋଲି ନୌସେନା କହିଛି। ସାମୁଦ୍ରିକ କର୍ମଚାରୀଙ୍କ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟିକ ଜଳପଥର ସୁରକ୍ଷା ଏବଂ ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛି।


