ଭୁବନେଶ୍ୱର: ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରି ଆଗକୁ ବଢ଼ୁଛି ଭୀଷଣ ବାତ୍ୟା ‘ଅକ୍ୱାନ୍’। ଧୀର ଗତିରେ ହେଲେ ବି ଏହାର ପ୍ରଭାବକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଶଙ୍କା ବଢ଼ିବାରେ ଲାଗିଛି। ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଥିବା ଏହି ସାମୁଦ୍ରିକ ଝଡ଼ ଏବେ ଓଡ଼ିଶା ଉପକୂଳଠାରୁ ଦୂରରେ ରହିଥିଲେ ମଧ୍ୟ ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରହିଛି।
ବର୍ତ୍ତମାନ ବାତ୍ୟା ‘ଅକ୍ୱାନ୍’ କଳିଙ୍ଗପଟନମ୍ଠାରୁ ପ୍ରାୟ ୫୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ଗୋପାଳପୁରଠାରୁ ୬୧୦ କିଲୋମିଟର ଏବଂ ପୁରୀଠାରୁ ପ୍ରାୟ ୬୭୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ର ମଧ୍ୟରେ ଏହାର ଗତିବିଧି ଜାରି ରହିଥିବାରୁ ଆଗାମୀ ଘଣ୍ଟାଗୁଡ଼ିକ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ବିଶେଷକରି ଗୋପାଳପୁର ଓ ପୁରୀ ଉପକୂଳରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି। ଯଦିଓ ଏବେ ସୁଦ୍ଧା ବାତ୍ୟାର ଗତିପଥ ଓ ଉପକୂଳ ଉପରେ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ, ତଥାପି ସମୁଦ୍ରରେ ଏହାର ଶକ୍ତି ବୃଦ୍ଧି ଏବଂ ଗତିବିଧିକୁ ନେଇ ପାଣିପାଗ ନଜର ରଖାଯାଉଛି।
ସମୁଦ୍ରରେ ବାତ୍ୟାର ଗତି ଯେତେ ଧୀର, ତାହାର ପରବର୍ତ୍ତୀ ଗତିପଥ ସେତେ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଉପକୂଳ ଏହାର ପ୍ରଭାବରେ ଆସିବ କି ନାହିଁ, ନା ଦିଗ ପରିବର୍ତ୍ତନ କରି ଅନ୍ୟତ୍ର ଗତି କରିବ—ଏବେ ସମସ୍ତଙ୍କ ନଜର ବାତ୍ୟା ‘ଅକ୍ୱାନ୍’ର ପରବର୍ତ୍ତୀ ଚଳନ ଉପରେ।


