ନୂଆଦିଲ୍ଲୀ: ୧୦୦ ଦିନିଆ ଜିଏସଟି କରଦାତା ସଚେତନତା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ, ଭୁବନେଶ୍ୱର କମିଶନରେଟ୍ ପକ୍ଷରୁ ୨୫ ନଭେମ୍ବର ୨୦୨୬ରେ ଭୁବନେଶ୍ୱରସ୍ଥିତ ଜିଏସଟି ଭବନର ହିନ୍ଦୀ ସଦନଠାରେ ଏକ ଜିଏସଟି କରଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ କମିଶନର ଦେବାଶିଷ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ କରଦାତା, ବାଣିଜ୍ୟ ଓ ଶିଳ୍ପ ସଂସ୍ଥାର ପ୍ରତିନିଧି, ଟିକସ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସମେତ ପ୍ରାୟ ୧୨୦ ଜଣ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ସମୟରେ, ଜିଏସଟି ପରିଷଦର ୫୭ତମ ବୈଠକରେ ଗ୍ରହଣ କରାଯାଇଥିବା ପ୍ରମୁଖ ସୁପାରିସ ଓ ସଂସ୍କାର ସମ୍ପର୍କରେ ଏକ ବିସ୍ତୃତ ପାୱାରପଏଣ୍ଟ ଉପସ୍ଥାପନା କରାଯାଇଥିଲା। ଏଥିରେ ଜିଏସଟି ପଞ୍ଜୀକରଣ ଓ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାର ସରଳୀକରଣ, ଇ-କମର୍ସ, ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି), ଅର୍ଥ ଫେରସ୍ତ ପ୍ରକ୍ରିୟା, ମାମଲା ପରିଚାଳନା, ଅଭିଯୋଗ ଦାଖଲ ଓ ଆଇନ ପ୍ରବର୍ତ୍ତନ, ବର୍ଜ୍ୟବସ୍ତୁ ଓ ସ୍କ୍ରାପ୍ ସମ୍ପର୍କିତ ବ୍ୟବସ୍ଥା ଏବଂ ବିଭିନ୍ନ ସେବା କ୍ଷେତ୍ର ସମ୍ପର୍କିତ ପରିବର୍ତ୍ତନ ଆଦି ବିଷୟ ସ୍ଥାନ ପାଇଥିଲା।
ଉପସ୍ଥାପନା ପରେ କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀ ଏବଂ ଉପସ୍ଥିତ କରଦାତା ଓ ବାଣିଜ୍ୟ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଆଲୋଚନା ଓ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରସ୍ତାବିତ ଜିଏସ୍ଟି ସଂସ୍କାର ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ବ୍ୟବହାରିକ ସମସ୍ୟା ଉପରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀମାନେ ସେଗୁଡ଼ିକର ସ୍ପଷ୍ଟୀକରଣ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ବିଭାଗ ଓ କରଦାତାମାନଙ୍କ ମଧ୍ୟରେ ଗଠନମୂଳକ ଭାବ ବିନିମୟ ପାଇଁ ଏକ ଉପଯୋଗୀ ମଞ୍ଚ ପ୍ରଦାନ କରିଥିଲା। ଏହାଦ୍ୱାରା ଜିଏସ୍ଟି ସମ୍ପର୍କରେ ସଚେତନତା, ସ୍ୱଚ୍ଛତା ଏବଂ ଅନୁପାଳନ ପ୍ରକ୍ରିୟାର ସରଳତା ବୃଦ୍ଧି ପାଇବ। ଜିଏସଟି ସଂସ୍କାରର ସୁଗମ କାର୍ଯ୍ୟକାରିତା ପାଇଁ କରଦାତାମାନଙ୍କୁ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ଯୋଗାଇ ଦେବା ନିମନ୍ତେ କମିଶନରେଟ୍ ପକ୍ଷରୁ ନିଜର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ କରାଯାଇଥିଲା।


