କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନକୁ ବିଭିନ୍ନ ରାଜ୍ୟ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି ଯଦି ରାଜ୍ୟ ମାନେ ଏହି ନିୟମ ଲାଗୁ କରିବା ନେଇ କୋହଳ ମନୋଭାବ ପ୍ରଦର୍ଶନ କରନ୍ତି ତେବେ ବର୍ଦ୍ଧିତ ସଡକ ଦୁର୍ଘଟଣା ପାଇଁ ରାଜ୍ୟ ମାନେ ଦାୟୀ ରହିବେ । ଅର୍ଥ କଦାପି ମାନବ ଜୀବନଠାରୁ ମୂଲ୍ୟବାନ ନୁହେଁ ଏବଂ ସମସ୍ତ ରାଜ୍ୟ ସରକାର ଏହା ବିଚାର କରିବା ଉଚିତ୍ ବୋଲି ଗଡକରୀ କହିଛନ୍ତି । ଲୋକଙ୍କ ମନରେ ଆଇନ ପ୍ରତି ଭୟ ରହିବା ଉଚିତ୍ । ନିର୍ଭୟା ମାମଲା ପରେ ଦୁଷ୍କର୍ମକାରୀଙ୍କୁ କାହିଁକି ଫାଶୀ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ଗଡକରୀ । ଦଣ୍ଡ ଦୃଷ୍ଟାନ୍ତମୂଳକ ହେଲେ ଏହା ଉଭୟ ଭୟ ଏବଂ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ । ବୁଧବାର ବିଜେପି ଶାସିତ ଗୁଜରାଟରେ ଜରିମାନାକୁ 90 ପ୍ରତିଶତ ହ୍ରାସ କରାଯାଇଥିଲା । ଏହାକୁ ସମାଲୋଚନା କରିଛନ୍ତି ଗଡକରୀ । ଦେଶରେ ବର୍ଷକୁ ଦେଢ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି ଏବଂ ତନ୍ମଧ୍ୟରୁ 65 ପ୍ରତିଶତ ହେଉଛନ୍ତି 18-35 ବର୍ଷ ବର୍ଗର । ଏହି ପରି ଦୁର୍ଘଟଣାକୁ ଏଡେଇବା ନିମନ୍ତେ ଜରିମାନାର ଭୟ ଆବଶ୍ୟକ ବୋଲି ଗଡକରୀ କହିଛନ୍ତି । ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଗଡକରୀ କହିଛନ୍ତି ।