ଇଶାନ୍ତ ଏବଂ ଉମେଶଙ୍କ ପାଞ୍ଚ ଓ୍ବିକେଟ୍‌ ସଫଳତା : ପିଙ୍କ ବଲ୍‌ ଟେଷ୍ଟ ସହିତ ସିରିଜ୍‌ ଜିତିଲା ଭାରତ

Published: Nov 24, 2019, 2:59 pm IST

କଲିକତା,24/11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । କଲିକତାର ଇଡେନ୍‌ ଗାର୍ଡେନ୍‌ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏକ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । 241 ରନ୍‌ ପଛରେ ରହିଥିବା ବାଂଲାଦେଶ 195 ରନ୍‌ରେ ଅଲଆଉଟ ହେବାରୁ ଭାରତ ଇନିଂସ ଏବଂ 46 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦ୍ବିତୀୟ ଇନିଂସରେ ଉମେଶ ଯାଦବ ପାଞ୍ଚ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଉଭୟଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି 136 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଥର ଭାରତୀୟ ପେସର ମାନେ 19ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର 106 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା 5 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଅଧିନାୟକ ବିରାଟ କୋହଲିଙ୍କ(136), ପୂଜାରା(55) ଏବଂ ରାହାଣେ(51)ଙ୍କ ବ୍ୟାଟିଂ ଫଳରେ ଭାରତ 347/9ରେ ଇନିଂସ ଘୋଷଣା କରିଥିଲା । 241 ରନ୍‌ ପଛରେ ରହିଥିବା ବଂଲାଦେଶ ଗତକାଲି 152 ରନ୍‌ରେ 6ଟି ଓ୍ବିକେଟ ହରାଇଥିଲା ।

ଆଜି ସକାଳୁ ବଳକା 4ଓ୍ବିକେଟ୍‌ ଇଶାନ୍ତ ଏବଂ ଉମେଶ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ଇଶାନ୍ତଙ୍କୁ 9ଟି ଏବଂ ଉମେଶଙ୍କୁ8ଟି ଓ୍ବିକେଟ ମିଳିଥିବା ବେଳେ ସାମି ବଳକା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଇଶାନ୍ତ ଶର୍ମାଙ୍କୁ ମ୍ୟାଚ ଏବଂ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା ।(ଏଜେନ୍ସୀ)

Related posts