ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍‌’ ଲୋକାର୍ପିତ

Published: Dec 3, 2019, 2:07 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧୨: ପିଲାମାନଙ୍କ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍‌’। ଏହି ଆପ୍‌ ଜରିଆରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ସେଥିରୁ ଭିଡିଓ ଦ୍ବାରା ସେମାନେ ଶ୍ରେଣୀରେ ପଢାଯାଇଥିବା ପାଠକୁ ବୁଝିପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍‌’କୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ୍‌ର ଛାତ୍ରଛାତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍‌’ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯା, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Related posts