Categories
ଆଜିର ଖବର ବ୍ୟବସାୟ

ଗାଲାକ୍ସି ନୋଟ୍‌ 10 ଏସ୍‌ର ଲାଇଟ୍ ଭର୍ସନ୍‌ ଲଞ୍ଚ କରିବ ସାମସଙ୍ଗ

ନୂଆଦିଲ୍ଳୀ ,02/01 : ସାମସଙ୍ଗର ଫ୍ଲାଗ୍‌ସିପ୍‌ ଫୋନ୍‌ ଗାଲାକ୍ସି ନୋଟ୍‌ ସିରିଜ୍‌ର ଲାଇଟ୍‌ ଭର୍ସନ ଆଣିବାକୁ ଯାଉଛି । ଅନ୍ୟ ଚାଇନିଜ୍‌ ବ୍ରାଣ୍ଡର ଶସ୍ତା ଫୋନ୍‌ ସହିତ ପ୍ରତିଦ୍ବନ୍ଦିତା ପାଇଁ ସାମସଙ୍ଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅଗଷ୍ଟ 2019ରେ ଗାଲାକ୍ସି ନୋଟ୍‌ 10 ଲଞ୍ଚ କରାଯାଇଥିବା ବେଳେ ଏହାର ଲାଇଟ୍‌ ଭର୍ସନ୍‌ ଆସନ୍ତା ମାସରେ ଲଞ୍ଚ ହେବାକୁ ଯାଉଛି । ଏନେଇ ଗୁରୁବାର ସାମସଙ୍ଗ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫୋନ୍‌ରେ ଚାରି କୋଣିଆ କ୍ୟାମେରା ରହିଥିବା ବେଳେ ତିନିଟି ସେନ୍ସର ରହିଛି । ଫୋନ୍‌ଟିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ସୁପର ଆମୋଲେଡ୍‌ ଡିସ୍‌ପ୍ଲେର ଏହି ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଥିବା ଜଣାପଡିଛି । ଏକ୍ସିନୋସ୍‌ ପ୍ରସେସର ରହିଥିବା ଏହି ଫୋନ୍‌ରେ 6 ଜିବି ରାମ୍‌ ଏବଂ 128 ଜିବି ରମ୍‌ ରହିଛି । ଏହି ଫୋନ୍‌ରେ 4500 ଏମ୍‌ଏଏଚ୍‌ ବ୍ୟାଟେରୀ ରହିଥିବା ବେଳେ ଏହାର ମୂଲ୍ୟ 15 ହଜାର ମଧ୍ୟରେ ରହିବ ବୋଲି ଜଣାପଡିଛି ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମଧୁ ଆପ୍‌’ ଲୋକାର୍ପିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧୨: ପିଲାମାନଙ୍କ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍‌’। ଏହି ଆପ୍‌ ଜରିଆରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ସେଥିରୁ ଭିଡିଓ ଦ୍ବାରା ସେମାନେ ଶ୍ରେଣୀରେ ପଢାଯାଇଥିବା ପାଠକୁ ବୁଝିପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍‌’କୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ୍‌ର ଛାତ୍ରଛାତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍‌’ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯା, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଆଇପିଓରୁ ୫ ହଜାର କୋଟିର ନିବେଶ ହାସଲ କଲା ଏୟାରଟେଲ ଆଫ୍ରିକା

ଭାରତର ବୃହତମ ଟେଲିକମ୍‌ ସଂସ୍ଥାନ ଭାରତୀ ଏୟାରଟେଲ ଏହାର ଆଫ୍ରିକୀୟ କମ୍ପାନୀ ପାଇଁ ଆଇପିଓ ଜରିଆରେ ୫ ହଜାର କୋଟି ନିବେଶ ହାସଲର ଲକ୍ଷ୍ୟ ରଖିଛି। ମଙ୍ଗଳବାର ଜୁନ୍‌ ୪ ତାରିଖରେ ଏୟାରଟେଲ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। କମ୍ପାନୀ ନିଜକୁ ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଜର ପଞ୍ଜୀକରଣ କରାଇବା ସହିତ ୭୫୦ ମିଲିୟନ୍‌ ଡଲାର ବା ୫ ହଜାର ୧୮୯ କୋଟି ଟଙ୍କା ହାସଲର ଲକ୍ଷ୍ୟ ରଖିଛି। ଏହା ସହିତ ନାଇଜେରିଆର ଷ୍ଟକ୍‌ ଏକ୍ସଚେଞ୍ଜରେ ମଧ୍ୟ ନିଜକୁ ପଞ୍ଜୀକୃତ କରିବାର ଲକ୍ଷ୍ୟ ରଖିଛି। ନିଜର ସମୁଦାୟ ଅଂଶଧନର ୧୫ ପ୍ରତିଶତ ଆଇପିଓ ଜରିଆରେ ବିକ୍ରି କରିବ ଏୟାରଟେଲ। ଏହି ଅର୍ଥ ଜରିଆରେ କମ୍ପାନୀ ନିଜର ଋଣ ଶୁଝିବ ବୋଲି ଜଣାପଡିଛି।

Categories
ଆଜିର ଖବର

ପତଞ୍ଜଳିର ନୂଆ ‘ଟୋନ୍ଡ୍ ମିଲ୍କ’ର ବଜାର ପ୍ରବେଶରେ ମେ ୨୩କୁ ମୋଦି ଦିବସ କରିବାକୁ ରାମଦେବଙ୍କ ଦାବି

ଦୁଇ ଅଗ୍ରଣୀ ଡାଏରୀ କମ୍ପାନୀ ଅମୁଲ୍‌ ଓ ମଦର ଡାଏରୀ କ୍ଷୀରରେ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏବେ ଏହି ଡାଏରୀ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛି ପତଞ୍ଜଳି ଡାଏରୀ। ସୋମବାର ଦିନ ଯୋଗଗୁରୁ ରାମଦେବ ପତଞ୍ଜଳିର ଟୋନଡ୍‌ ମିଲ୍କକୁ ବଜାର ପ୍ରବେଶ କରାଇଛନ୍ତି, ଯାହା ଅମୁଲ୍‌ ଓ ମଦର ଡାଏରୀ କ୍ଷୀରଠାରୁ ୪ଟଙ୍କା ଶସ୍ତା ଅଛି। ଏହି କ୍ଷୀର ମୂଲ୍ୟ ୪୦ଟଙ୍କା ରହିଛି। ଦିଲ୍ଲୀ ଏନ୍‌ସିଆର୍‌, ରାଜସ୍ଥାନ ସହ ହରିୟାଣା ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଏହା ମେ ୨୮ ତାରିଖରୁ ଉପଲବ୍ଧ ହେବ। ଏହି ଅବସରରେ ରାମଦେବ ଗଣମାଧ୍ୟମକୁ  ପତଞ୍ଜଳି ବହୁତ ଶୀଘ୍ର ବଜାରକୁ ହର୍ବାଲ୍‌ କ୍ଷୀର ଆଣିବାର ଯୋଜନା କରୁଛି ବୋଲି କହିଥିଲେ। ପତଞ୍ଜଳିର ନୂଆ ‘ଟୋନ୍ଡ ମିଲକ୍’ର ବଜାର ପ୍ରବେଶ ଅବସରରେ ଯୋଗଗୁରୁ ବାବା ରାମଦେବ ବିଜେପିର ବୃହତ୍‌ ବିଜୟକୁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି । ବିଜେପିର ବିପୁଳ ବିଜୟକୁ ପ୍ରଶଂସା କରି ଭୋଟ୍‌ଗଣତି ଦିବସ ମେ ୨୩କୁ ମୋଦି ଦିବସ ରୂପେ ପାଳନ କରିବାକୁ ଯୁକ୍ତି ବାଢିଛନ୍ତି ରାମଦେବ । ବିଜେପିର ଐତିହାସିକ ବିଜୟକୁ ସର୍ବଦା ମନେ ରଖିବା ପାଇଁ ଯୋଗ ଗୁରୁ ଏହି ଦିନକୁ ବିଶେଷ ଦିବସ ଘୋଷଣା କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ,  ମେ ୨୩ ଭାରତୀୟ ଇତିହାସରେ ଗୌରବଶାଳୀ ଦିନ। ଏହି ଦିନରେ ମୋଦୀ ସରକାର ପ୍ରଚଣ୍ଡ ବହୁମତ ସହିତ ପୁର୍ନବାର କ୍ଷମତାସୀନ ହୋଇଛି। ୫୦ ପ୍ରତିଶତରୁ ଅଧିକ ଭୋଟ୍ ଦେଇ ଜନତା ମୋଦୀ, ବିଜେପି ଓ ଏନଡିଏ ଉପରେ ଭରସା ପ୍ରକଟ କରିଛନ୍ତି। ତାଙ୍କ ମତରେ ଯେ, ମେ ୨୩ ଦିନଟିକୁ ଭାରତୀୟ ରାଜନୀତି ଦୃଷ୍ଟିରୁ ସର୍ବଦା ମନେ ରଖାଯାଉ। ତେଣୁ ସେ ଦାବି କରିଛନ୍ତି ଯେ, ଏହି ଦିନକୁ ମୋଦୀ ଦିବସ କିମ୍ବା ଲୋକ କଲ୍ୟାଣ ଦିବସ ରୂପେ ପାଳନ କରାଯାଉ। ମୋଦି ଜଣେ ଗରିବ ତଥା ପଛୁଆ ବର୍ଗର ହୋଇ ମଧ୍ୟ ନିଜର ଦମ୍‌ ଦେଖାଇଛନ୍ତି । ମୋଦିଙ୍କ ନେତୃତ୍ବାଧୀନ ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ପାଇଛି । ଏହା ଗଣତନ୍ତ୍ରରେ ଲୋକଙ୍କ ବିଶ୍ବାସର ପରାକାଷ୍ଠାର ଦିନ । ତେଣୁ ଏହି ଦିନଟିକୁ ଏକ ବିଶେଷ ଦିବସ ରୂପେ ପାଳନ କରିବାକୁ ଯୋଗଗୁରୁ ଦାବି କରିଛନ୍ତି ।

Categories
ଆଜିର ଖବର

ମାରୁତି ସୁଜୁକି ବାଲେନୋର ସ୍ମାର୍ଟ ହାଇବ୍ରିଡ୍‌ ଲଞ୍ଚ

ମାରୁତି ସୁଜୁକିର ସ୍ପୋର୍ଟସ୍‌ ମଡେଲ୍‌ ବାଲେନୋର ସ୍ମାର୍ଟ ହାଇବ୍ରିଡ୍‌ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ୭.୨୫ ଲକ୍ଷ ରହିଥିବା ବେଳେ ଏଥିରେ ୧.୨ ଲି. ଡୁଆଲ ଜେଟ୍‌ ଏବଂ ଡୁଆଲ ଭିଭିଟି ଇଞ୍ଜିନ୍‌ ବ୍ୟବହୃତ ହୋଇଛି। ପୂର୍ବ ମଡେଲ ଗୁଡିକ ତୁଳନାରେ ଏହାର ମାଇଲେଜ୍‌ ମଧ୍ୟ ବଢିଆ ରହିଛି। ଏହି କାର୍‌ଟିର ମାଇଲେଜ୍‌ ୨୩.୮୭ କି.ମି/ଲିଟର ରହିଛି। ୨୦୧୫ ରେ ଲଞ୍ଚ ହୋଇଥିବା ଏହି କାର୍‌ର ୫.୫ ଲକ୍ଷ ଉପଭୋକ୍ତା ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ୨ଲକ୍ଷ କାର୍‌ ବିକ୍ରି ହୋଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର ଏସ୍‌ କଲସୀ। ସ୍ମାର୍ଟ ହାଇବ୍ରିଡ୍‌ ସହିତ ଜେଟା ଏବଂ ଆଲ୍ଫା ମଡେଲ୍‌ର ଦୁଇଟି ଲେଖାଏଁ କାର୍‌ ଲଞ୍ଚ କରାଯାଇଛି। ଜେଟାର ସାଧାରଣ ମଡେଲର ମୂଲ୍ୟ ୭.୮୬ ଲକ୍ଷ ଟଙ୍କା ରହିଥିବା ବେଳେ ଜେଟା ସିଭିଟିର ମୂଲ୍ୟ ୮.୨୯ ଲକ୍ଷ ଟଙ୍କା ରହିଛି। ଆଲ୍ଫାର ସାଧାରଣ ମଡେଲର ମୂଲ୍ୟ ୭.୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଆଲ୍ଫା ସିଭିଟିର ମୂଲ୍ୟ ୮.୯୦ ଲକ୍ଷ ଟଙ୍କା ରହିଛି।

Categories
ଆଜିର ଖବର

ସୁମିତ୍‌ଙ୍କ ନୂଆ ପୁସ୍ତକ : ‘ରାହୁଲ୍‌ଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜୀବିତ ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ

କଂଗ୍ରେସରେ ପ୍ରିୟଙ୍କା ଗାନ୍ଧି ସକ୍ରିୟ ଅଂଶଗ୍ରହଣ କରିବା ପରେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍‌ ସରଗରମ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢିବା ଓ ତାଙ୍କ ପତି ରର୍ବଟ ଭଦ୍ରା କଂଗ୍ରେସରେ ଔପଚାରିକ ରୂପେ ସାମିଲ୍‌ ହେବାର ସମ୍ଭାବନାକୁ ନେଇ ଏବେ ଏକ ନୂଆ ପୁସ୍ତକ ପ୍ରକାଶିତ ହୋଇଛି। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜ୍ଜୀବିତ କରିବା ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ ହୋଇଛି ବୋଲି ବିବେଚନା କରାଯାଉଛି। ଦକ୍ଷିଣପନ୍ଥୀ ଲେଖକ  ସୁମିତ୍‌ ଭସିନ୍‌ ତାଙ୍କ ନୂତନ ପୁସ୍ତକ ‘ଦ ନ୍ୟୁ ଏଜ୍‌ କାର୍ଯ୍ୟକର୍ତ୍ତା – ଫ୍ରମ୍‌ ପୋଷ୍ଟିଂ ପୋଷ୍ଟର୍ସ ଅନ୍‌ ଦ ଓ୍ବାଲ୍‌ ଟୁ ପୋଷ୍ଟିଂ ଅନ୍‌ ଦ ଓ୍ବାଲ୍‌’ରେ କଂଗ୍ରେସରେ ପ୍ରିୟଙ୍କାଙ୍କ ଅଭ୍ୟୁଦୟକୁ ନେଇ ଅଭିବ୍ୟକ୍ତି କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ନୂତନ ଅଧ୍ୟକ୍ଷ ତଥା ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ, ସେ ସମ୍ପର୍କରେ ଆମେ ଅନଭିଜ୍ଞ, କିନ୍ତୁ ଏହା ନିଶ୍ଚିତ ଯେ, ରାହୁଲ୍‌ ଗାନ୍ଧିଙ୍କ ଅସଫଳତା ପରେ ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିରେ ଅଭ୍ୟୁତ୍ଥାନ।’ ସେ ଏହି ପୁସ୍ତକରେ ଭାଜାପାର ଉଦୟ ଓ କଂଗ୍ରେସର ପତନ ଅବଶ୍ୟମ୍ଭାବୀ ବୋଲି ବର୍ଣ୍ଣନା କରିଛନ୍ତି। କଂଗ୍ରେସର ବିନାଶ ପାଇଁ ଏହାର ନେତୃତ୍ବକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସରେ ଉତ୍କୃଷ୍ଟ ଦକ୍ଷତାର ଅଭାବ ହିଁ କଂଗ୍ରେସକୁ ବିନାଶ ଆଡକୁ ଅଗ୍ରସର କରାଉଛି  ଅପରପକ୍ଷରେ ବିଜେପି ଯୋଗ୍ୟ ଲୋକଙ୍କୁ ପୁରସ୍କୃତ କରିବା ଜାରି ରଖୁ, କାରଣ ଦଳ ଦେଶର ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଅଧିକ ଲୋକତାନ୍ତ୍ରିକ ଅଟେ। ଗତକାଲି ଏହି ପୁସ୍ତକର ଉନ୍ମୋଚନ ଅବସରରେ ବିଜେପି ସାଂସଦ ରମେଶ୍‌ ବେଧୁଡି କହିଛନ୍ତି ଯେ, ଦଳ ସାଧାରଣ କର୍ମୀଙ୍କ ଅଧିକାରକୁ ମହତ୍ତ୍ବ ଦିଆଯାଇଥାଏ, କିନ୍ତୁ କଂଗ୍ରେସ ଏହାର ବିପରୀତ। କାରଣ ଏହି ଦଳ ଗୋଟିଏ ପରିବାର ଉପରେ ଜୋର୍‌ ଦେଇଥାଏ। ସେହିପରି ଅନ୍ୟଜଣେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଡ. ବିନୟ ସହସ୍ରବୁଦ୍ଧେ ଏହି ଅବସରରେ ସବୁ ବଂଶବାଦୀ ଦଳଙ୍କୁ ନିନ୍ଦା କରିଛନ୍ତି।

Categories
ଆଜିର ଖବର

ଏମିସାଟ୍‌ ସହିତ ୨୮ ଉପଗ୍ରହ ଉତ୍‌କ୍ଷେପଣ କଲା ଭାରତ

ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍‍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‍ ମହାକାଶ କେନ୍ଦ୍ରରୁ ଠିକ୍‌ ସକାଳ ୯ଟା ୨୭ ମିନିଟ୍‍ରେ ବିଦେଶର ୨୮ଟି ଉପଗ୍ରହ ସହିତ ଏମିସାଟ୍‍କୁ ପିଏସଏଲଭି-ସି୪୫ ମହାକାଶ ଯାନରେ ଉତକ୍ଷେପଣ କରାଯାଇଥିଲା। ଇସ୍ରୋ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ଉପଗ୍ରହ ଏମିସାଟ। ଶତ୍ରୁପକ୍ଷ ଉପରେ ନଜର ରଖିବ ଏମିସାଟ୍। ଇସ୍ରୋ ଓ ଡିଆରଡିଓ ମିଳିତ ଭାବେ ଏହି ଉପଗ୍ରହକୁ ତିଆରି କରିଛନ୍ତି। ଏହାଦ୍ୱାରା ସୀମାରେ ପାକିସ୍ତାନ ଦ୍ୱାରା ଇଲେକ୍ଟ୍ରୋନିକ ଓ ମାନବିକ ଗତିବିଧି ଉପରେ ନଜର ରଖିବ। ଅର୍ଥାତ ସୀମାରେ ରାଡାର ଓ ସେନସର ଉପରେ ଏହି ଉପଗ୍ରହ ନଜର ରଖିବ। ଏମିସାଟ ମହାକାଶରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ଣ ନଜର ରଖିବ। ଏମିସାଟ୍‌ ସହିତ ପିଏସ୍‌ଏଲଭି ରକେଟ ବିଦେଶର ୨୮ଟି ଉପଗ୍ରହକୁ ମହାକାଶ ନେଇ ଯାଇଛି। ମହାକାଶର ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ଉପଗ୍ରହଗୁଡ଼ିକୁ ସ୍ଥାପନ କରିବ। ରକେଟ ପ୍ରଥମେ ୪୩୬ କିଲୋଗ୍ରାମ ଓଜନର ଏମିସାଟକୁ ୭୪୯ କିଲୋମିଟର ଦୂରତାରେ ଥିବା କକ୍ଷପଥରେ ସ୍ଥାପନ କରିବ। ଏହା ପରେ ୨୮ଟି ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚ କକ୍ଷପଥରେ ସ୍ଥାପନ କରିବ। ବିଦେଶର ୨୮ଟି ଉପଗ୍ରହ ମଧ୍ୟରୁ ଆମେରିକାର ୨୪ଟି, ଲିଥୁଆନିଆର ୨ଟି ଏବଂ ସ୍ପେନ ଓ ସ୍ବିଜରଲାଣ୍ଡର ଗୋଟିଏ ଲେଖାଏ ଉପଗ୍ରହ ରହିଛି। ତେବେ ପ୍ରଥମ ଥର ପାଇଁ ସାଟେଲାଇଟ ଉତ୍‌କ୍ଷେପଣ ସମୟରେ ସାଧାରଣ​‌ ଲୋକଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ପାଖାପାଖି ୧ ହଜାର ଲୋକ ସୋମବାର ଏମିସାଟ୍‌ ଲଞ୍ଚ କରାଯିବାର ଦୃଶ୍ୟ ଦେଖିଥିଲେ।

Categories
ଆଜିର ଖବର

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଭାବେ ଅହମ୍ମଦାବାଦରେ ଆରମ୍ଭ କରାଯାଇଛି  । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ।  ଏହି ଯୋଜନାରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି। ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ କିଛି ଟଙ୍କା ପ୍ରତ୍ୟେକ ମାସରେ ପ୍ରିମିୟର ରୂପେ ଜମା କରିବାକୁ ପଡ଼ିବ। ଯୋଜନାର ଲାଭ ୧୮  ବର୍ଷରୁ ୪୦ ବର୍ଷର ଶ୍ରମିକଙ୍କୁ ହିଁ ମିଳିବ। ଯଦି କୌଣସି ଲାଭାର୍ଥୀ ୧୮ ବର୍ଷ  ବୟସରେ ଏହି ସ୍କିମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସକୁ ପ୍ରିମିୟର ରୂପେ ୫୫ ଟଙ୍କା ଦେବାକୁ ପଡ଼ିବ। ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ। ଆଶା କରାଯାଉଛି ଯେ ଏହି ଯୋଜନାର ଲାଭ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଲୋକଙ୍କୁ ମିଳିବ।