ପିଆଜ ବୟାନକୁ ନେଇ ସୀତାରମଣଙ୍କୁ ଟାର୍ଗେଟ୍‌ କଲେ ପି. ଚିଦାମ୍ବରମ୍‌

Published: Dec 5, 2019, 1:10 pm IST

ନୂଆଦିଲ୍ଲୀ, ୫/୧୨: ପିଆଜର ଅହେତୁକ ଦର ଦେଶରେ ହାହାକାର ସୃଷ୍ଟି କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଆଜ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ପିଆଜ ଖାଆନ୍ତି ନାହିଁ, ତେଣୁ ଏହାର ପ୍ରଭାବ ତାଙ୍କ ଉପରେ ପଡୁନାହିଁ । ଏହି ବୟାନକୁ ନେଇ ରାଜନୈତିକ ଘମାସନ ଆରମ୍ଭ ହୋଇଯାଇଛି । ସୀତାରମଣଙ୍କ ବୟାନକୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ୧୦୬ ଦିନ ପରେ ଜେଲ୍‌ରୁ ମୁକ୍ତ ହୋଇଥିବା ଚିଦାମ୍ବରମ୍‌ କହିଛନ୍ତି ଯେ, ଯେଉଁ ସରକାର ପିଆଜ କମ୍‌ ଖାଇବାକୁ କହୁଛନ୍ତି, ତାଙ୍କୁ ଚାଲିଯିବା ଦରକାର ।

ଯେଉଁ ସରକାର ଲୋକଙ୍କୁ କମ୍‌ ପିଆଜ ଓ ରସୁଣ ଖାଇବାକୁ ଉପଦେଶ ଦେଉଛନ୍ତି, ସେମାନେ ଚାଲିଯିବା ଦରକାର ବୋଲି ପି. ଚିଦାମ୍ବରମ୍‌ କହିଛନ୍ତି ।  ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଏହି ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ସୀତାରମଣଙ୍କୁ ଟାର୍ଗେଟ୍‌ କରି ଚିଦାମ୍ବରମ୍‌ କହିଛନ୍ତି ଯେ, ଯଦି ନିର୍ମଳା ସୀତାରମଣ ପିଆଜ ଖାଉନାହାନ୍ତି, ତେବେ କ’ଣ ଖାଉଛନ୍ତି ? ସେ କ’ଣ ଆଭାକୋଡା ଖାଉଛନ୍ତି କି ?

ଗୁରୁବାର ସଂସଦରେ ପିଆଜର ଦର ବୃଦ୍ଧି ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା, ଏଥିରେ ପି. ଚିଦାମ୍ବରମ୍‌ ମଧ୍ୟ ଭାଗ ନେଇଛନ୍ତି । (ଏଜେନ୍ସି)

Related posts