ଜେଏନ୍‌ୟୁ ହିଂସାକାଣ୍ଡର ପ୍ରମାଣକୁ ବଞ୍ଚାଇବା ପାଇଁ ଅଦାଲତର ଦ୍ବାରସ୍ଥ ହେଲେ ଜେଏନ୍‌ୟୁ ପ୍ରଫେସର

Published: Jan 10, 2020, 2:16 pm IST

ନୂଆଦିଲ୍ଲୀ : ଦିଲ୍ଲୀ ଜେଏନ୍‌ୟୁରେ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସା ମାମଲା ଏବେ ଚର୍ଚ୍ଚାରେ ରହିଛି  । ଏହି ହିଂସା ମାମଲାର ପୋଲିସ୍‌ ଯାଞ୍ଚ କରୁଥିବାବେଳେ ଜେଏନ୍‌ୟୁର ତିନିଜଣ ପ୍ରଫେସର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ଏହି ପ୍ରଫେସରମାନେ ଜେଏନ୍‌ୟୁରେ ହୋଇଥିବା ହିଂସାକାଣ୍ଡର ପ୍ରମାଣକୁ ସୁରକ୍ଷିତ ରଖିବା ପାଇଁ ଅଦାଲତରେ ଏକ ଯାଚିକା ଦାୟର କରିଛନ୍ତି । ଏହି ହିଂସାକାଣ୍ଡର ପ୍ରମାଣ ସ୍ବରୂପ  ସିସିଟିଭି ଫୁଟେଜ୍‌ ସୁରକ୍ଷିତ ରଖିବା ଆବଶ୍ୟକ, ଯେପରିକି ଏହା ନଷ୍ଟ ନହୁଏ ଓ ଏହା ସୁରକ୍ଷିତ ରହିବ, ଏନେଇ ଅଦାଲତରେ ଅପିଲ୍‌ କରିଛନ୍ତି।

ହିଂସା ସମ୍ପର୍କିତ ସମସ୍ତ ଭିଡିଓ ହ୍ବାଟସଆପ୍‌, ଗୁଗୁଲ୍‌ ଏପ୍ପଲ୍‌ କମ୍ପାନୀ ସହ ସମ୍ପର୍କିତ ସପ୍ଟଓ୍ବେୟାରରେ ରହିଅଛି। ଏହି ସମୟରେ ଏହି କମ୍ପାନୀଙ୍କୁ ଏହି ଭିଡିଓକୁ ସୁରକ୍ଷିତ ରଖିବା ସହ ଏହାକୁ ଦେବା ଲାଗି କମ୍ପାନୀକୁ ଆଦେଶ ଦେବା ଆବଶ୍ୟକ ବୋଲି ଏହି ଯାଚିକାରେ କୁହାଯାଇଛି ।

ଅଦାଲତରେ ଏହି ଯାଚିକାକୁ ଜେଏନ୍‌ୟୁର ପ୍ରଫେସର ଅମିତ୍‌ ପରମେଶ୍ବରନ୍‌, ଅତୁଲ ସୁଦ୍‌ ଓ ବିନାୟକ ଶୁକ୍ଳାଙ୍କ ଦ୍ବାରା ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ ଜାନୁଆରୀ 5 ତାରିଖ ସନ୍ଧ୍ୟା ସମୟରେ କିଛି ମୁଖା ପିନ୍ଧା ଦୁବୃର୍ତ୍ତମାନେ ଜେଏନ୍‌ୟୁରେ ପଶି ଛାତ୍ର ଓ ଅଧ୍ୟାପକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜେଏନ୍‌ଏସ୍‌ୟୁର ଅଧ୍ୟକ୍ଷ ଆଇଶି ଘୋଷଙ୍କ ସମେତ 30ରୁ ଅଧିକ ଜଣ ଆହତ ହୋଇଥିଲେ । (ଏଜେନ୍ସି)

Related posts