ପୁରୀ ମନ୍ଦିର ପରିଚାଳନାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ସରକାର ପାଳନ କରୁନାହାନ୍ତି ବୋଲି କଂଗ୍ରେସର ଅଭିଯୋଗ

Published: Jan 15, 2020, 11:07 pm IST

ପୁରୀ ତଥା ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣକୁ ନେଇ ଅତ୍ୟନ୍ତ ଚିନ୍ତିତ  ଥିବା ନେଇ ଦାବି କରୁଥିବା ରାଜ୍ୟ ସରକାର ଓ ଖୋଦ୍ ମୁଖ୍ୟମନ୍ତ୍ରୀ  କେତେ ଗମ୍ଭୀର ଓ ବିଚଳିତ ଏ କଥା ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରିବାକୁ ନେଇ ଟାଳଟୁଳ ନୀତି ହିଁ ପ୍ରମାଣିତ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଦାୟର ହୋଇଥିବା – ‘ମୃଣାଳିନୀ ପାଢୀ ବନାମ ୟୁନିଅନ୍ ଅଫ ଇଣ୍ଡିଆ’ ମୋକଦ୍ଦମାରେ ସର୍ବୋଚ୍ଚ ଅଦାଲତ ୪ ନଭେମ୍ବର ୨୦୧୯ ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ – ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍‌କ୍ଷଣାତ୍ ନିଯୁକ୍ତି ପ୍ରଦାନ କରିବେ, ଯିଏକି ଅନ୍ୟ କୌଣସି ବିଭାଗର ଦାୟିତ୍ୱରେ ରହିପାରିବେ ନାହିଁ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ ରାଜ୍ୟ ସରକାର ଶ୍ରୀମନ୍ଦିରର ଗୁରୁ ଦାୟିତ୍ୱକୁ କୌଣସି ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଭାବରେ ପ୍ରଦାନ କରିପାରିବେ ନାହିଁ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ରାଜ୍ୟ ସରକାର ଜାଣିଶୁଣି ଅବମାନନା କରିବା ସହିତ ଏହାକୁ ଚାପି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ସାମ୍ବିଧାନିକ ପଦବୀର ଅଧିକାରୀ ହୋଇ ମଧ୍ୟ କିଭଳି ଏହାକୁ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅନୁପାଳନ କରୁନାହାନ୍ତି, ତାହାହିଁ ସାଧାରଣରେ ଏକ ବିଶାଳୀ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜ୍ୟ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି  । (ସମୀକ୍ଷା ବ୍ୟୁରୋ)

Related posts