ଖୋଲା ପଡ଼ିଆରେ ଡାକ୍ତରଖାନା ବର୍ଜ୍ୟବସ୍ତୁ : ବିପଦରେ ଗାଈ ଗୋରୁ

Published: Jan 17, 2020, 1:43 pm IST

ସମୀକ୍ଷା ବ୍ୟୁରୋ

କୁଜଙ୍ଗ:  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପା ମୌଜାର ବାଲିବିଲ ଦଣ୍ଡାରେ ୧୫ ବସ୍ତାରୁ ଉର୍ଦ୍ଧ୍ବ ଡାକ୍ତରଖାନାର ବର୍ଜ୍ୟବସ୍ତୁ ପଡି ରହିଥିବା ଦେଖିବାକୁ ମିଳିଥିଲା। ଏହି ବର୍ଜ୍ୟବସ୍ତୁଗୁଡ଼ିକ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ସେହି ଅଞ୍ଚଳର କେତେକ ଦେଖଣାହାରୀ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଯଥା ଗଜକପଡ଼ା, ରକ୍ତପୁଜ, ଭିଜା ତୁଳା, ସିରିଂଜ, ସଲାଇଁନ୍ ବୋତଲ, ପ୍ଲାଷ୍ଟିକ ପାଇପ୍ ପ୍ରଭୁତିକୁ ପରିଚାଳନା କେନ୍ଦ୍ର ଉଲ୍ଲେଖ ଥାଇ ସ୍ଥାନ ସଂରକ୍ଷିତ ରହିଛି। ମେଡିକାଲ୍ କର୍ତ୍ତୃପକ୍ଷ ଉକ୍ତ ସ୍ଥାନରେ ଏହି ବର୍ଜ୍ୟବସ୍ତୁକୁ ନଷ୍ଟ କରିବା ବଦଳରେ ଜରି  ଅଖାରେ ଭର୍ତ୍ତିକରି ସ୍ଥାନୀୟ ବାଲିଦଣ୍ଡାରେ ମୁକ୍ତ ଆକାଶ ତଳେ ଫିଙ୍ଗି ଦେଇଛନ୍ତି। ଏହାର ଦୁର୍ଗନ୍ଧ ଚର୍ତୁଦ୍ଦିଗ ପରିବ୍ୟାପ୍ତ ହେବା ଫଳରେ ସ୍ଥାନୀୟ ଗ୍ରାମର କେତକ ଯୁବକ ଏହି ଦଣ୍ଡାକୁ ଖେଳିବାକୁ ଯାଇ ଦୁର୍ଗନ୍ଧ ବାରି ବର୍ଜ୍ୟବସ୍ତୁ ନିକଟରେ ପହଞ୍ଚିଥିଲେ। ସରକାର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଯତ୍ନଶୀଳ ରହିଥିବାସ୍ଥଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏପରି ବେପୁରଆ ଢଙ୍ଗ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ କରିଛି। ଏହି ବର୍ଜ୍ୟବସ୍ତୁ ପରିବେଶକୁ ଯେତିକି ଦୂଷିତ କରୁଛି, ତାଠୁ ଅଧିକ ଏହା ବୁଲା ଗାଈଗୋରୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ପ୍ଲାଷ୍ଟିକ୍‌ ଆବର୍ଜନାକୁ ବୁଲା ଗାଈଗୋରୁ ଖାଇ ରୋଗରେ ପଡ଼ିବାର ସମ୍ଭାବନା ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନଘଟିବ ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

Related posts