ଟିକେଟ ଭାଗବଣ୍ଟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ଅସନ୍ତୋଷ : ନଡ୍ଡାଙ୍କ ଘର ବାହାରେ ହଙ୍ଗାମା

Published: Jan 18, 2020, 1:22 pm IST

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ଜନତା ଦଳର ଟିକେଟ ଆବଣ୍ଟନକୁ ନେଇ କିଛି ନେତା ବିଦ୍ରୋହ କରିବାର ନଜର ଆସିଛନ୍ତି । ଟିକେଟ ଭାଗବଣ୍ଟାକୁ ନେଇ କିଛି କାର୍ଯ୍ୟକର୍ତ୍ତା ନାରାଜ ରହିବା ସହିତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ବାହାରେ ହଙ୍ଗାମା କରିଛନ୍ତି । ବିଜେପିର ପ୍ରଥମ ଆଶାୟୀ ପ୍ରାର୍ଥୀ ତାଲିକା ଆସିବା ପରେ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ 57 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ଏବେବି 13ଟି ଆସନରେ ପ୍ରାର୍ଥୀ ନାମ ଘୋଷଣା ହେବା ବାକି ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ଭିତରେ ଆସନ ଭାଗବଣ୍ଟାକୁ ନେଇ ଯେଉଁଭଳି ଭାବରେ ଅସନ୍ତୋଷ ଦେଖାଦେଇଛି ଏହା ବିଜେପି ପାଇଁ ଶୁଭସୂଚନା ନୁହେଁ ।

ନିକଟରେ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ନିରାଶଜନକ ଫଳାଫଲ ପ୍ରଦର୍ଶନ କରୁଥିବାବେଳେ ଏବେ କର୍ମୀଙ୍କ ଅସନ୍ତୋଷ ବିଜେପିକୁ ହରଡଘଣାରେ ପକାଇଛି । ନିକଟରେ ଝାଡଖଣ୍ଡ ବିଧାନସଭାରେ ପରାଜୟ ବରଣ କରିଥିବାବେଳେ ବିଜେପି ବୁଝିବିଚାରି ତା’ର ପାଦ ଆଗକୁ ବଢାଇବା ଦରକାର । କାରଣ ଟିକିଏ ଭୁଲ୍‌ ପାଇଁ ଦଳକୁ ବହୁତ ବଡ଼ କ୍ଷତି ସହିବାକୁ ପଡିପାରେ । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀ 8 ତାରିଖରେ ଅନୁଷ୍ଠିତ ହେବ । (ଏଜେନ୍ସି)

Related posts