ଚିଲିକା କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Published: Jan 22, 2020, 8:35 am IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ବାଲୁଗାଁ ଚିଲିକା କୂଳରେ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍‌ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି।  ତାଙ୍କ ପିତାଙ୍କ ନାମ ନକୁଳସାହୁ ହୋଇଥିବାବେଳେ ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି।

ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର ଖବର ମିଳିଛି। ତେବେ ଏହି ଯୁବକ ଜଣକ କ’ଣ ପାଇଁ ଘର ଛାଡି ଚାଲି ଆସିଥିଲେ, ତାହା ଏକ ପ୍ରଶ୍ନ ହୋଇଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଚିଲିକାରେ ଫିଙ୍ଗି ଦେଇଛି ତାହା ପୋଲିସ୍‌ ତଦନ୍ତ ପରେ ସ୍ପଷ୍ଟ ହେବ।

Related posts