ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଚଳଚ୍ଚିତ୍ର । କଙ୍ଗନା ରଣାଓ୍ବତଙ୍କ ‘ପଙ୍ଗା’ ଓ ବରୁଣ-ଶ୍ରଦ୍ଧା ଅଭିନୀତ ଡ୍ୟାନ୍ସ ଆଧାରିତ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରିଡି’ ।
2013ରେ ପରଦାକୁ ଆସିଥିବା ‘ଏବିସିଡି’ର ତୃତୀୟ ସଂସ୍କରଣ ହେଉଛି ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ଥ୍ରୀଡି’ । ଏହି ଫିଲ୍ମକୁ ରେମୋ ଡି’ସୁଜା ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ବରୁଣ – ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ଅପାରଶକ୍ତି ଖୁରାନା, ରାଘବ, ଧର୍ମେଶ, ପୁନୀତ୍ ସମେତ ବହୁ ଡ୍ୟାନ୍ସରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 70ରୁ 80କୋଟି ବଜେଟ୍ରେ ନିର୍ମିତ ଏହି ଫିଲ୍ମର ନିର୍ମାଣ କରିଛନ୍ତି ଭୂଷଣ କୁମାର । ଏଥିରେ ମୋଟ 11ଟି ଗୀତ ରହିଥିବାବେଳେ ଗୀତ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ସେହିପରି ଆଜି ରିଲିଜ ହୋଇଥିବା ଅନ୍ୟ ଏକ ଫିଲ୍ମ ହେଉଛି ପଙ୍ଗା । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଋଚା ଚଢା ଓ ଜସ୍ସୀ ଗିଲ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଅଶ୍ବିନୀ ତିଓ୍ବାରୀ ଗ୍ରହଣ କରିଥିବାବେଳେ ଏହି ଫିଲ୍ମଟି କବାଡି ଖେଳକୁ ନେଇ ଆଧାରିତ । ସମାଜର ବନ୍ଧନରେ ବାନ୍ଧି ହୋଇ ରହିଥିବା ଜଣେ ମଧ୍ୟବର୍ଗୀୟ ଭାରତୀୟ ମହିଳାର ଭାବନାତ୍ମକ କାହାଣୀକୁ ନେଇ ‘ପଙ୍ଗାର’ର କାହାଣୀ ଗତିଶୀଳ ।
ତେବେ ଦୁଇଟିଯାକ ଫିଲ୍ମ ନିଜ ନିଜ କ୍ଷେତ୍ରରେ ବେଶ୍ ଉନ୍ନତ । ‘ପଙ୍ଗା’ରେ କଙ୍ଗନାଙ୍କ ପ୍ରଭାବଶାଳୀ ଅଭିନୟ ରହିଥିବାବେଳେ ‘ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି’ରେ ଡ୍ୟାନ୍ସର୍ ଜଲ୍ଓ୍ବା ରହିଛି । ତେବେ ବକ୍ସ ଅଫିସ୍ରେ ଏହି ଦୁଇଟି ଫିଲ୍ମ ମଧ୍ୟରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା । (ଏଜେନ୍ସି)