ତିନି ତଲାକ୍‌ ଦେଲେ ବିଜେପିର ପୂର୍ବତନ କାଉନ୍‌ସିଲର୍‌

Published: Jan 24, 2020, 1:37 pm IST

ମଧ୍ୟପ୍ରଦେଶ : ତ୍ରିପଲ୍‌ ତଲାକ୍‌କୁ ନେଇ ମୋଦି ସରକାର ଆଇନ ପ୍ରଣୟନ କରିଥିବାବେଳେ ଏହାର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଥିବାର ଖବର ସାମ୍ନାକୁ ଆସିଛି । ଭାରତୀୟ ଜନତା ଦଳର ଜଣେ ନେତାମାନେ ଏହି ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଶିବପୁରୀ ନିକଟରେ ଏପରି ଏକ ଘଟଣା ଘଟିଛି । ବିଜେପିର ପୂର୍ବତନ କାଉନ୍‌ସିଲର୍‌ ରହୀଶ୍‌ ଖାନ୍‌ ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହା ପରେ କାଉନସିଲର୍‌ ଜଣକ ଦ୍ବିତୀୟ ବିବାହ ମଧ୍ୟ କରିଛନ୍ତି । ପୀଡ଼ିତା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ର ଏତଲା ଦେଇଛନ୍ତି ।

ରହୀଶ୍‌ ଖାନ୍‌ଙ୍କ ପତ୍ନୀ ନୁରବାନୋ କହିଛନ୍ତି ଯେ, 2002 ମସିହାରେ ତାଙ୍କର ବିବାହ ହୋଇଥିବାବେଳେ ବିବାହର କିଛି ଦିନ ବେଶ୍‌ ଭଲରେ କଟିଥିଲା । ତା’ପରେ ତାଙ୍କ ସ୍ବାମୀ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏପରିକି ତାଙ୍କ ବଡ ଝିଅକୁ ମଧ୍ୟ ମାଡ ମରାମରି କରୁଥିଲେ ତଲାକ୍‌ ଦେବା ପାଇଁ । ସବୁବେଳେ ନିର୍ଯାତନା ଦେଇଆସୁଥିବା ତାଙ୍କ ସ୍ବାମୀ ପରିଶେଷରେ ତାଙ୍କୁ ତିନି ତଲାକ୍‌ ଦେଇ ଅନ୍ୟଜଣକୁ ବିବାହ କରିଛନ୍ତି ।

ଏହି ମାମଲାରେ ପୁଲିସ୍‌ ଅଧିକାରୀ ରାଜେଶ ସିଂ ଚାନ୍ଦେଲ୍‌ କହିଛନ୍ତି ଯେ, ତାଙ୍କ ବିବାହକୁ ବହୁତ ବର୍ଷ ହୋଇଯାଇଛି। ଅଭିଯୁକ୍ତଜଣକ ମାରପିଟ୍‌ ମଧ୍ୟ କରିଛନ୍ତି । ନିଜ ସ୍ତ୍ରୀଙ୍କୁ ନିର୍ଯାତନା ତଥା ତିନି ତଲାକ୍‌ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଧାରା 498, 324 ଓ 506 ରୁଜୁ କରାଯାଇ ଗିରଫ କରାଯାଇଛି । (ଏଜେନ୍ସି)

Related posts