ଜୟପୁରରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍‌

Published: Jan 28, 2020, 3:26 pm IST

ଜୟପୁର : କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍‌ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍‌ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ସରକାର ଭାରତର ଏହି ଛବିକୁ ମଳିନ କରିଛନ୍ତି । ଏବେ ଭାରତକୁ ରେପ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି ।

ଆମ ଦେଶର ସବୁଠୁ ବଡ ପୁଞ୍ଜି ହେଉଛନ୍ତି ଯୁବକ । କିନ୍ତୁ ଏବେ ଭାରତର ଏହି ପୁଞ୍ଜିକୁ ଏବେ ନଷ୍ଟ କରାଯାଉଛି। ଆଜି ଯଦି ଯୁବକ ସରକାରକୁ ପ୍ରଶ୍ନ ପଚାରିବ, ତେବେ ତାଙ୍କ ଉପରେ ସରକାର ଗୁଳି ଚଳାଇବେ । ପ୍ରଧାନମନ୍ତ୍ରୀ ଛାତ୍ରଙ୍କ ସହ ସାକ୍ଷାତ କରିବା ଉଚିତ୍‌ । ଗୋଟିଏ ଧର୍ମକୁ ଆଉ ଗୋଟିଏ ଧର୍ମ ସହ ଲଢାଇ କରାଇ ଆମ ତ୍ରିରଙ୍ଗାର ଅପମାନ କରୁଛନ୍ତି ସରକାର, ଯାହା ଏବେ ଆଉ ଚଳିବ ନାହିଁ ବୋଲି କହିଛନ୍ତି ରାହୁଲ୍‌ ।

ଭାରତରେ ଏକ କୋଟି ଯୁବକ ରୋଜଗାର ହରାଇଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ 2 କୋଟି ଯୁବକଙ୍କୁ ରୋଜଗାର ଦେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ କେବଳ ଲମ୍ବା ଲମ୍ବା ଭାଷଣ ଦିଅନ୍ତି, ସିଏଏ-ଏନ୍‌ଆରସି-ଏନ୍‌ପିଆରର କଥା କହୁନ୍ତି, କିନ୍ତୁ ବେରୋଜଗାର ଉପରେ କିଛି କୁହନ୍ତି ନାହିଁ । (ଏଜେନ୍ସି)

Related posts