ଶାହିନ୍‌ ବାଗ୍‌ ପ୍ରଦର୍ଶନକାରୀଙ୍କ ସହ ସାକ୍ଷାତ କଲେ ମଧ୍ୟସ୍ଥି : ଆସନ୍ତା କାଲି ପୁଣି କରିବେ ଆଲୋଚନା

Published: Feb 19, 2020, 6:11 pm IST

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ତରଫରୁ ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ୍‌ ଓ ସଞ୍ଜୟ ହେଗେଡ୍‌ ଆଜି ଶାହୀନ୍‌  ବାଗ୍‌ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇଜଣ ମଧ୍ୟସ୍ଥି  ଆଜି ଶାହିନ୍‌ବାଗ୍‌ ପ୍ରଦର୍ଶନକାରୀଙ୍କ ସହ  ଦୁଇ ଘଣ୍ଟା ସମାଧାନର ପନ୍ଥା ପାଇଁ ଆଲୋଚନା କରିଥିଲେ। କିନ୍ତୁ କିଛି ନିଷ୍କର୍ଷ ବାହାରିପାରିନାହିଁ। ଆସନ୍ତକାଲି ପୁନଃ ମଧ୍ୟସ୍ଥି ଦ୍ବୟ ଆନ୍ଦୋଳନକାରୀଙ୍କ ସହ ବାର୍ତ୍ତାଳାପ କରିବେ। ଏଥିପାଇଁ  ସୁପ୍ରିମ୍‌କୋର୍ଟଙ୍କ ତରଫରୁ ରବିବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୂଚନାଯୋଗ୍ୟ, ନାଗରିକତା ଆଇନ୍ ବିରୋଧରେ ଗତ 67 ଦିନ ଧରି ଶାହିନ୍‌ବାଗରେ ପ୍ରଦର୍ଶନ ଚାଲିଛି। ଏହି ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା କାଲିନ୍ଦ କଂଜ୍‌ ରୋଡ ବନ୍ଦ ହୋଇ ରହିଛି। ପ୍ରଦର୍ଶନକାରୀମାନେ ଏହି ନିୟମ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି। ପ୍ରଦର୍ଶନକାରୀଙ୍କ ମତରେ ସେମାନେ କେବଳ 150 ମିଟର ପର୍ଯ୍ୟନ୍ତ  ଧାରଣାରତ ରହିଛନ୍ତି କିନ୍ତୁ ସଡକର ବାକି ଅଂଶରେ ଦିଲ୍ଲୀ ଓ ୟୁପି ପୋଲିସ୍‌ ଘେରି ରହିଛନ୍ତି। ସଡକ ବନ୍ଦ ପାଇଁ ଆନ୍ଦୋଳନକାରୀମାନେ ଦାୟୀ ନୁହଁନ୍ତି ବୋଲି କହିଛନ୍ତି। ପୋଲିସ୍‌ ବୈକଳ୍ପିକ ରାସ୍ତା ଖୋଲୁନାହିଁ ବୋଲି କହିଛନ୍ତି। ଶାହିନ୍‌ ବାଗ୍‌ଙ୍କୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟସ୍ଥତା ଭିତରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିରୋଧ ପ୍ରଦର୍ଶନ ପାଇଁ ସମସ୍ତଙ୍କର ଅଧିକାର ରହିଛି ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ। କିନ୍ତୁ ସମସ୍ୟାର ସମାଧାନ ପାଇଁ ସମେସ୍ତ ମିଳିମିଶି ପ୍ରୟାସ କରିବା ଆବଶ୍ୟକତା ବୋଲି କହିଥିଲେ। ଏଥିପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ଦାୟିତ୍ବ ଦେଇଥିଲେ। (ଏଜେନ୍ସି)

Related posts