ଦାବି ପୂରଣ ପାଇଁ ଲଣ୍ଡା ହେଲେ ଶିକ୍ଷୟିତ୍ରୀ

Published: Feb 20, 2020, 11:02 am IST

ମଧ୍ୟପ୍ରଦେଶ : ସେବାକୁ ନିୟମିତ କରିବା ପାଇଁ ଭୋପାଳରେ ବିଗତ 72 ଦିନ ହେବ ଧାରଣାରେ ବସିଥିବା ଅତିଥି ଶିକ୍ଷକମାନେ ଅଭିନବ ଉପାୟରେ ନିଜର ଦାବି ଜଣାଇଛନ୍ତି । ବୁଧବାର ଅପରାହ୍ନରେ ଧାରଣାରତ ଜଣେ ମହିଳା ଅତିଥି ଶିକ୍ଷୟିତ୍ରୀ ନିଜର କେଶ କାଟିଛନ୍ତି। ସେ ଲଣ୍ଡା ହୋଇ ନିଜର କେଶକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ପଠାଇବେ ବୋଲି କହିଛନ୍ତି । ଲଣ୍ଡା ହୋଇଥିବା ମହିଳା ଅତିଥି ଶିକ୍ଷୟିତ୍ରୀ ହେଲେ ଡା. ଶାହୀନ ଖାନ ।

ଶ୍ରୀମତୀ ଖାନ କହିଛନ୍ତି ଯେ, ରାଜ୍ୟ ସରକାର ଆମର ଦାବି ମାନି ନାହାନ୍ତି କି ଆମ ସହିତ କଥା ମଧ୍ୟ ହୋଇନାହାନ୍ତି । କିଛି ଅତିଥି ଶିକ୍ଷକ ଆର୍ଥିକ ସ୍ଥିତି ଯୋଗୁଁ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଦୁଇ ମାସ ହେବ ଆମେ ଆନ୍ଦୋଳନରେ ବସିଛୁ । କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା ଯେ, ନିର୍ବାଚନ ପରେ ସରକାର ଗଢିବା ପରେ ଆମ ଦାବିକୁ ପୂରଣ କରାଯିବ । ଆମେ ବର୍ଷ ତମାମ ଅପେକ୍ଷା କରିଛୁ । ଏହା ପରେ ଯେତେବେଳେ ଆମେ ଆନ୍ଦୋଳନ କରିଛୁ, ଏବେ ସରକାର ନୋଟିସ ଜାରି କରିଛନ୍ତି । ସରକାର ଆମ କଥା ଶୁଣୁ ନାହାନ୍ତି । ଲିଖିତ ପ୍ରତଶ୍ରୁତି ନ ମିଳିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳରତ ଅତିଥି ଶିକ୍ଷକ ସମୂହ ।

Related posts