ଏମ୍ସରେ ହିନ୍ଦୀ ଭାଷା ପ୍ରଚଳନ ପ୍ରସଙ୍ଗ : ହିନ୍ଦୀ କେବଳ ପ୍ରଶାସନିକ କାମ ପାଇଁ ବୋଲି ସ୍ପଷ୍ଟ କଲେ ଏମ୍ସ କର୍ତ୍ତୃପକ୍ଷ

Published: Feb 22, 2020, 3:32 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଏମ୍‌ସରେ ହିନ୍ଦୀ ଭାଷା ପ୍ରଚଳନକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ବିଜେଡି ସାଂସଦ ପ୍ରତିନିଧିମାନେ ଭେଟିବା  ପରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ  ନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଏହାପରେ ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି।  ଭୁବେନଶ୍ବରରେ ଏମସ୍‌ରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ କରାଯାଇଛି ବୋଲି ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ଯେଉଁମାନେ ହିନ୍ଦୀ ମିଡିଅମ୍‌ରେ ପଢିଛନ୍ତି, ସେମାନଙ୍କ ପାଇଁ ଏହା ଲାଗୁ ବୋଲି କହିଛନ୍ତି ନିର୍ଦ୍ଦେଶିକା। ରୋଗୀଙ୍କ ପାଇଁ ଫର୍ମ ପୂରଣ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ହିଁ ହେଉଛି ବୋଲି କହିଛନ୍ତି ଏମ୍‌ସ କର୍ତ୍ତୃପକ୍ଷ। ଏପରିକି ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷାରେ ପଢାଯାଉଛି ବୋଲି ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ।  ନିର୍ଦ୍ଦେଶନାମାକୁ ଭୁଲ୍‌ ତର୍ଜମା କରାଯାଇଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶିକା।

ସୂଚନାଯୋଗ୍ୟ, ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକଙ୍କ ଅଫିସ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବିରୋଧ କରିଥିଲେ।

Related posts