ବିଜୁ ଜୟନ୍ତୀକୁ ପକ୍ଷବ୍ୟାପୀ ପାଳନ କରିବ ବିଜେଡି

Published: Feb 27, 2020, 8:33 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ତଥା ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ଏକ ପକ୍ଷ ବ୍ୟାପୀ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ 5 ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମଦିବସକୁ 15 ଦିନ ବ୍ୟାପି ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କ ସହିତ ପାଳନ କରିବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଜୁ ଜୟନ୍ତୀ ଅବସରରେ ବିଜେଡି ରାଜ୍ୟରେ 20 ବର୍ଷ ପୂରଣ କରିବାକୁ ଯାଉଛି । ବିଜୁ ଜୟନ୍ତୀ ଅବସରରେ ଓଡିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହା ସହିତ ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ 8ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ କରାଯିବା ସହିତ ବିଭିନ୍ନ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ଦଳର ଛାମୁଆ ସଙ୍ଗଠନ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସମୟରେ ମାର୍ଚ୍ଚ 5ରୁ ଏପ୍ରିଲ 17 ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ ।

Related posts