ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 34 ଛୁଇଁଲା : ଲଦାଖରେ 2 ଏବଂ ତାମିଲନାଡୁରେ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ

Published: Mar 7, 2020, 7:55 pm IST

ନୂଆଦିଲ୍ଲୀ : ଭାରତରେ କୋରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଶନିବାର ଲଦାଖରେ ଦୁଇ ଜଣ ଏବଂ ତାମିଲନାଡୁରେ ଜଣେ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତିନି ନୂତନ ଆକ୍ରାନ୍ତଙ୍କ ସହିତ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 34ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଲଦାଖରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଇରାନ୍‌ ଯାଇଥିବା ବେଳେ ତାମିଲନାଡୁର ସଙ୍କ୍ରମିତ ଜଣକ ଓମାନ ଗସ୍ତ କରିଛନ୍ତି । ସମୁଦାୟ 34 ଜଣ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 16 ଜଣ ଇଟାଲୀ ନାଗରିକ ଏବଂ 18 ଜଣ ଭାରତୀୟ ନାଗରିକ ରହିଛନ୍ତି । ସେହିପରି ଭାରତର ବିଭିନ୍ନ ସ୍ଥାନ ଗସ୍ତ କରିଥିବା ଦୁଇ ଆମେରିକୀୟ କୋରୋନା ଆକ୍ରାନ୍ତ ଥିବା ନେଇ ଭୁଟାନ୍‌ ସରକାର ସ୍ପଷ୍ଟ କରିବା ପରେ 150 ଜଣଙ୍କ ଉପରେ ନଜର ରଖାଯାଇଛି । ଉଭୟ ବିଭିନ୍ନ ସ୍ଥାନ ଭ୍ରମଣ କରି ଉକ୍ତ 150ଙ୍କ ସଂସ୍ପର୍ଶରେ ଆସିଥିଲେ । (ଏଜେନ୍ସି)

Related posts