‘ଝିଅ ନୁହେଁ ତୁ କରୋନା ଭାଇରସ’ଗୀତକୁ ନେଇ ବିବାଦ, କଣ୍ଠଶିଳ୍ପୀ ଏବଂ ପ୍ରଯୋଜକଙ୍କୁ ଗିରଫ ପାଇଁ ବିଜେପିର ଦାବୀ

Published: Mar 18, 2020, 7:41 pm IST

ଭୁବନେଶ୍ୱର, କରୋନାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି ।

ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୁଦ୍ଧରେ ରାଜ୍ୟ ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ । ସୋସିଆଲ ମିଡିଆରେ କରୋନା ସମ୍ବନ୍ଧରେ ଅପପ୍ରଚାର କରୁଥିବା ଅଭିଯୁକ୍ତମାନଙ୍କୁ ଯଦି ପୋଲିସ ଗିରଫ କରୁଛି ତେବେ ଏଭଳି ଏକ ଅଶ୍ଳିଳ ଗୀତ କରିଥିବା ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।

ତେବେ ପରବର୍ତ୍ତି ସମୟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କ୍ଷମା ପ୍ରାର୍ଥନା କରିଥିବାର ଜଣାପଡିଛି।

Related posts