ଲାଗୁ ହେଲା ଅଡ-ଇଭିନ ଫର୍ମୁଲା

Published: Mar 21, 2020, 9:35 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୟଙ୍କର ଭାବରେ ବିସ୍ତାର କରି ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଟୁଇନ୍‌ ସିଟିରେ ଲାଗୁ ହୋଇଛି ଅଡ-ଇଭିନ୍ ଫର୍ମୁଲା। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଆଜି ଟ୍ୱିନ୍‌ ସିଟିରେ ଅଡ ନମ୍ବର ଗାଡ଼ି ଗଡ଼ିବ ବୋଲି ଜଣାଯାଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଆଧାରରେ ଲାଗୁ ହେବ  ଅଡ-ଇଭିନ୍ ଫର୍ମୁଲା। ଯେପରି ଗାଡ଼ିର ଶେଷ ଅକ୍ଷର ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ। ସେହିଭଳି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ। ଏହା ବସ୍, ଟାକ୍ସି, ଅଟୋ ପାଇଁ ଲାଗୁ ହୋଇଛି । ଘରୋଇ ବା ପ୍ରାଇଭେଟ୍‌ ଗାଡି ଏଥରୁ ବାଦ୍‌ ରହିଛନ୍ତି । ସେହିପରି ଭାବରେ ସରକାରୀ ତଥା ଜରୁରୀକାଳୀନ ଗାଡି ଓ ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡି ପାଇଁ ଏହା ଲାଗୁ କରାଯାଇନାହିଁ।  ସେହିପରି କେବଳ ଟୁଇନ୍‌ ସ୍ବିଟି ନୁହେଁ କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟ ଏହି ଅଡ୍‌ ଇଭିନ୍‌ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଅପରପକ୍ଷରେ ଅଟୋରେ ୨ଜଣ ଓ ବାଇକ୍‌ରେ ମାତ୍ର ଜଣେ ଆରୋହୀ ଯିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧା ଯାତ୍ରୀଙ୍କୁ ନେବା ଲାଗି ନିର୍ଦ୍ଦେଶ ରହିଛି।

Related posts