ସାମାଜିକ ଦୂରତ୍ୱ ରକ୍ଷାରେ ଖିଲାପ କୁଜଙ୍ଗରୁ ଜଣେ ଗିରଫ

Published: Mar 27, 2020, 9:41 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : ସମଗ୍ର ରାଜ୍ୟରେ କୋଭିଡ଼-୧୯ କୁନେଇ କଟକଣା ଜାରି କରାଯାଇଛି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ହିଁ ଏକମାତ୍ର ଉପାୟ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରୀ କରାଯାଇଥିବା ବେଳେ ଏହାର ଅବମାନନା ଅଭିଯୋଗରେ ଆଜି କୁଜଙ୍ଗ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଏସଆଇ ଶୁଭ୍ରଜିତ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏସଆଇ ଶୁଭ୍ରଜିତ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହିତ ପୂର୍ବାହ୍ନ ୧୦ଟା ସମୟରେ ମଙ୍ଗରାଜପୁର, ହସିଣା, ବଳରାମ ପୁର ଆଦି ଗ୍ରାମ ମାନଙ୍କରେ ପେଟ୍ରୋଲିଂ ଜାରି ରଖିଥିଲେ। ତେବେ କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଆଇନକୁ ଭଙ୍ଗ କରୁଥିବା ନେଇ ସୂଚନା ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରିବାପରେ ସେଠାରେ ଥିବା ଯୁବକ ମାନେ ପଳାୟନ କରିଥିଲେ। ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ବିଭୂତିଭୂଷଣ ନାଥଙ୍କ ପୁତ୍ର ହରି ନାଥଙ୍କୁ ଗିରଫ କରିବା ସହିତ ସେଠାରୁ ଏକ ମୋଟର ସାଇକେଲ (ଓଡ଼ି୨୧-ଜି-୯୩୫୦)କୁ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ନାମରେ କୁଜଙ୍ଗ ଥାନା ୯୮/୨୦ ସଙ୍ଖ୍ୟାରେ ୧୮୮, ୨୬୯, ୨୭୦, ୨୭୧ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Related posts