ଆଣ୍ଡାମାନର ପୋର୍ଟମୁର୍ଟରେ ଫଶି ରହିଛନ୍ତି ବାଣପୁରର ଅଶୀରୁ ଉର୍ଦ୍ଧ୍ବ ଶ୍ରମିକ, ଖାଦ୍ୟ ନ ପାଇ ଭୋକ ଓପାସରେ ସେମାନେ ଜୀବନ ସହ କରୁଛନ୍ତି ସଂଗ୍ରାମ

Published: Mar 29, 2020, 5:31 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁରର ଅଶୀରୁ ଉର୍ଦ୍ଧ୍ବ ଶ୍ରମିକ ଆଣ୍ଡାମାନର ପୋର୍ଟମୁଟ୍‌ରେ ଫଶିରହିଛନ୍ତି। ସମସ୍ତ ଶ୍ରମିକଏଲ୍ ଆଣ୍ଡ ଟି କନଷ୍ଟ୍ରକସନ୍‌ ସାଇଟ୍‌ର ଲେବର୍‌ କ୍ୟାମ୍ପ୍‌ରେ ଫଶିରହିଛନ୍ତି। ସାରା ଭାରତରେ ଲକ୍‌ ଡାଉନ୍‌ ଯୋଗୁଁ ଏହି ଶ୍ରମିକମାନେ ସେଠାରେ ଫଶି ରହିଯାଇଥିବାବେଳେ ସେମାନେ ବିନା ଖାଦ୍ୟରେ ରହୁଛନ୍ତି। ସେମାନଙ୍କ ପାଖରେ ପଇସା ଥିଲେ ମଧ୍ୟ ଖାଦ୍ୟ ଖାଇପାରୁନାହାନ୍ତି। ଲେବର୍‌ କ୍ୟାମ୍ପ୍‌ରୁ ପୋଲିସ୍‌ ତାଙ୍କୁ ବାହାରକୁ ଛାଡୁନଥିବାବେଳେ ସେମାନେ ଖାଦ୍ୟ ଅଭାବରେ ବେଶ୍‌ ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ଖାଦ୍ୟ ନ ପାଇ ଭୋକ ଓପାସରେ ସେମାେନ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସେମାନଙ୍କୁ ସେହି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ହେଲ୍ପଲାଇନ୍‌ରେ ଯୋଗାଯୋଗ କରାଯାଇଥିବାବେଳେ ସେମାନଙ୍କ ସହ ସଂଯୋଗ କରାଯାଇପାରିନାହିଁ। ଏପରିସ୍ଥିତିରେ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବାଣପୁରବାସୀମାନେ ବିନମ୍ର ଅନୁରୋଧ କରିଛନ୍ତି।

ରାଜ୍ୟ ସରକାର ସେମାନଙ୍କୁ ଯଥାଶୀଘ୍ର ଖାଦ୍ୟ ଯୋଗାଇଦେବାରେ ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। କେନ୍ଦ୍ର ସରକାର ହେଉ ଅଥବା ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ବାଣପୁର ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସାନହନ୍ତୁଆଡ, ନୀଳାଦ୍ରିପ୍ରସାଦ, ରାଣୀପଡା, ମଙ୍ଗରାଜୁର, ବେରୁଆଁବାଡି, ସାନସିରାଇପୁର, ଏକଡାଳିଆ, ପଙ୍କାଳ, ଖୁଣ୍ଟପଲ୍ଲୀ,  କେଶପୁର, ବେଲପଡା, ଗଞ୍ଜାମ ଜିଲ୍ଲାର ଲକ୍ଷ୍ମଣପୁର, ପୁରୀ ଜିଲ୍ଲା ଆଳିପଡା ଅଞ୍ଚଳରୁ ୮୦ର ଉର୍ଦ୍ଧ୍ବ ଶ୍ରମିକ ସେଠାରେ ଫଶି ରହିଥିବାବେଳେ ସେମାନଙ୍କ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟକୁ ନିବେଦନ କରାଯାଉଛି।

 

Related posts