ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ: ସମ ଅଲଟିମେଟ ମେଡ଼ିକେଆରରେ ବିରଳ ଅସ୍ତ୍ରୋପଚାର

Published: Mar 30, 2020, 6:08 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି।

ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା। ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା। କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା।

କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆରରେ ଶିଶୁକୁ ଭର୍ତ୍ତି କରାଇଥିଲେ।

ହସ୍ପିଟାଲର ଇଏନଟି ଆଣ୍ଡ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ ପଦ୍ଧତିରେ ଅପଟିକାଲ ଫୋରସେପ ସାହାଯ୍ୟରେ ହୁଇସିଲଟିକୁ କାଢ଼ିବାରେ ସକ୍ଷମ ହୋଇଥିଲେ।

ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା କାରଣ ମାତ୍ର କିଛି ମିନିଟ ମଧ୍ୟରେହିଁ ହୁଇସିଲଟି କଢାଯିବାର ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ଏହି ବିରଳ ଅସ୍ତ୍ରୋପଚାରରେ ହସ୍ପିଟାଲର ଅନାସଥେସିଆ ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଡାକ୍ତର ଭବାନୀ ପତି, ଡାକ୍ତର ରଂଜିତ ପତି ଏବଂ ଡାକ୍ତର ସୂରୁପା ଦେବୀପ୍ରଦା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପ୍ରକ୍ରିୟା ଖୁବ ବିପଦପୂର୍ଣ୍ଣ ଥିଲା କାରଣ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହା ସମ୍ପାଦନ କରାଯାଇନଥିଲେ ଶିଶୁଟିର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ସମ ଅଲଟିମେଟ ମେଡ଼ିକେଆର ଠାରେ ଏଭଳି ଉନ୍ନତଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ସାହୁ।

Related posts