ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକଙ୍କ ସମ୍ପୂର୍ଣ୍ଣ ଦରମା କାଟ୍‌

Published: Apr 1, 2020, 10:17 am IST

ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଚାଲିଛି । ଦେଶରେ ଆସିଥିବା ଏହି ସଂକଟକୁ ମୁକାବିଲା କରିବା ପାଇଁ ବହୁରାଜ୍ୟ ନିଜ ବଜେଟ୍‌ରେ ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ସରକାରୀ କର୍ମଚାରୀ ତଥା ନିର୍ବାଚିତ ପ୍ରତିନିଧିଙ୍କ ଦରମାକୁ ହ୍ରାସ କରାଯାଉଛି । ତେଲେଙ୍ଗାନା, ମହାରାଷ୍ଟ୍ର ସରକାରଙ୍କ ପରେ ଏବେ ଦରମା ହ୍ରାସ ନେଇ ଆନ୍ଧ୍ରପ୍ରଦେଶରେ ସରକାର ଘୋଷଣା କରିଛନ୍ତି।

ତେବେ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପୂର୍ଣ୍ଣ ଦରମା କାଟକୁ ନେଇ ପ୍ରସ୍ତାବ ରଖିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧିଙ୍କ ଦରମାରୁ ଶହ ପ୍ରତିଶତ ହ୍ରାସ କରାଯିବା ନେଇ ସୂଚନା ରହିଛି ।

ଏତଦ୍‌ବ୍ୟତୀତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟୁରୋକ୍ରାଟ୍ସ (ଆଇଏଏସ୍‌-ଆଇପିଏସ୍‌-ଆଇଏଫ୍‌ଏସ୍‌)ଙ୍କ ଦରମାର 60 ପ୍ରତିଶତ ଦରମା ହ୍ରାସ କରାଯାଇଛି । ସେହିପରି ଅନ୍ୟ ସରକାରୀ କର୍ମଚାରୀଙ୍କ ଦରମାରୁ 50 ପ୍ରତିଶତ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦରମା 10 ପ୍ରତିଶତ ହ୍ରାସ କରାଯିବ ବୋଲି ସୂଚନା ରହିଛି ।

ତେବେ ଏହି ପ୍ରସ୍ତାବ ନେଇ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ, ଲକ୍‌ ଡାଉନ୍‌ ଯୋଗୁଁ ରାଜ୍ୟର ରାଜ୍ୟସ୍ବ ଉପରେ ବଡଧରଣର ପ୍ରଭାବ ପଡିଛି । ଏତଦ୍‌ବ୍ୟତୀତ  ଦେଶର ଏପରି ସମୟରେ କରୋନା ସହ ଲଢେଇ ପାଇଁ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଏଥିପାଇଁ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଲାଣି । (ଏଜେନ୍ସି)

Related posts