ଦୀପ ଦ୍ୱାରା ପ୍ରଶମିତ ହେବନି କରୋନା ସଙ୍କଟ : ରାହୁଲ ଗାନ୍ଧୀ

Published: Apr 4, 2020, 6:18 pm IST

ନୂଆଦିଲ୍ଲୀ : କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପ ଜଳାଇବା ଫଣ୍ଡାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦୀପଦାନ ଦ୍ୱାରା ଦେଶରେ କରୋନାକୁ ଲାଗି ରହିଥିବା ସଙ୍କଟ ପ୍ରଶମିତ ହେବ ନାହିଁ ବୋଲି ରାହୁଲ ମତ ଦେଇଛନ୍ତି । ଭାରତ ସରକାର ଆବଶ୍ୟକୀୟ ସଂଖ୍ୟ ଟେଷ୍ଟ କରୁନାହାନ୍ତି ଏବଂ ପ୍ରତିବଦଳରେ ତାଳି ମାରିବା ଓ ଦୀପଦାନ ଭଳି କାମ କରିବାକୁ କହୁଛନ୍ତି । ଏହା ଦେଶରେ କରୋନା ସଙ୍କଟକୁ ପ୍ରତିହତ କରିବାରେ ସଫଳ ହେବ ନାହିଁ ବୋଲି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୨୯ ଜଣଙ୍କର ଟେଷ୍ଟ କରାଯାଉଛି । ଏହି ତାଲିକାରେ ଭାରତ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଦକ୍ଷିଣ କୋରିଆରେ ୭୬୨୨, ଇଟାଲୀରେ ୭୧୨୨, ଜର୍ମାନୀରେ ୫୮୧୨ ଏବଂ ୟୁକେରେ ଏହି ହାର ୧୮୯୧ ରହିଛି । ସେହିପରି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଏହି ସଂଖ୍ୟା ୬୭ ରହିଥିବା ବେଳେ ଶ୍ରୀଲଙ୍କାରେ ଏହି ସଂଖ୍ୟା ୯୭ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି ।

Related posts