ଗଞ୍ଜାମ ଜିଲ୍ଲାରେ ଲୋକାର୍ପିତ ହେଲା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

Published: Apr 10, 2020, 12:23 pm IST

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ: କରୋନା ମହାମାରୀର ମୁକାବିଲା କରିବା ପାଇଁ ଓଡିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲର ଉଦ୍‌ଘାଟନ କରାଯାଇଥିଲା।  ଟାଟା ଷ୍ଟିଲ ଦେଇଥିବା ପାଣ୍ଠି ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଟାଟା ଷ୍ଟିଲ ମେଡିକା ଦ୍ବାରା ଏହି ହସ୍ପିଟାଲ ନିୟନ୍ତ୍ରିତ ହେବ। ଏହି ମେଡିକାଲଟି ଉଭୟ ଡିସିଏଚ ଏବଂ ଡି ସିଏ ସି ଭାବେ କାର୍ଯ୍ୟ କରିବ। ଏମକେସିଜି ଗଞ୍ଜାମ ପକ୍ଷରୁ ଡାକ୍ତର, ଷ୍ଟାଫ ନର୍ସ ଏବଂ ଅନ୍ୟାନ୍ୟ ସରଞ୍ଜାମ ଏହି ହସ୍ପିଟାଲକୁ ଯୋଗାଇ ଦିଆଯିବ।

କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଏଠାରେ ଭେଣ୍ଟିଲେଟର ସହିତ ୧୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯିବ। ଏଥିରେ ଅଲଗା ଅଲଗା ଆଇସୋଲେସନ ଏବଂ ସାଧାରଣ କୋଭିଡ ୱାର୍ଡ ରହିବ। ଏହି ହସ୍ପିଟାଲ ପାଇଁ ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।

ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ଲାଗି ମେଡିକାଲ କ୍ୟାମ୍ପସ ଭିତରେ ବ୍ୟବସ୍ଥା ହୋଇଛି। ଟାଟା ମେଡିକାର କର୍ମଚାରୀ ଏହି ହସ୍ପିଟାଲର କାର୍ଯ୍ୟକୁ ସୁରୁଖୁରୁରେ ଚାଲିବାରେ ସହାୟତା କରିବେ। ଏହି ହସ୍ପିଟାଲରେ କୋଭିଡ-୧୯ ର ନିୟମାବଳୀକୁ କଡାକଡି ପାଳନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ୍‌ର ଉଦ୍‌ଘାଟନ ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ, ବିଏମ୍‌ସି କମିଶନର, ଟାଟା ମେଡିକାଲର ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Related posts