ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 7000 ଟପିଲା, 24 ଘଣ୍ଟାରେ 40 ଜଣଙ୍କ ମୃତ୍ୟୁ

Published: Apr 11, 2020, 9:08 am IST

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍‌ ଡାଉନ୍‌ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ 13, ତାମିଲନାଡୁରେ 8, ତେଲେଙ୍ଗାନାରେ 7, ଆନ୍ଧ୍ରପ୍ରଦେଶରେ 6, କର୍ଣ୍ଣାଟକରେ 6, ପଶ୍ଚିମବଙ୍ଗରେ 5, ଜମ୍ମୁ-କାଶ୍ମୀରରେ 4, ଉତ୍ତରପ୍ରଦେଶରେ 4, ହରିୟାଣାରେ 3, ରାଜସ୍ଥାନରେ 3, କେରଳରେ 2, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଜଣେ କରୋନା ଜନିତ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Related posts