ଅବକାରୀ ବିଭାଗର ମୁଖା ଖୋଲିଲା: ଲକ୍‌ଡାଉନ୍‌ ସତ୍ତ୍ବେ ଦିନ ଦ୍ବିପ୍ରହରରେ ମଦ ଚୋରାଚାଲାଣ

Published: Apr 15, 2020, 2:53 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅବକାରୀ ବିଭାଗର ଅସଲି ଚେହେରା ସମ୍ମୁଖକୁ ଆସିଛି। ବୁଧବାର ଘଟିଥିବା ଏକ ଘଟଣାରେ ମଦ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି। ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମଦ ଦୋକାନରୁ ମଦ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ଏକ ମଦ ଦୋକାନରୁ ସିଲ କାଟି ମଦ ଚାଲାଣ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଲକ୍‌ଡାଉନ୍‌ ସମୟରେ ସାଧାରଣ ଜନତାଙ୍କର ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କିପରି ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା ତାହା ଆଶ୍ଚର୍ଯ୍ୟଜନକ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ପଚରା ଯିବାରୁ ପ୍ରଥମେ ଏହି ପ୍ୟାକେଟର ସମୟ ସୀମା ଶେଷ ହୋଇଥିବା ନେଇ ଉତ୍ତର ଦେଇଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ଏହା ଅନାବଶ୍ୟକ ବୋଲି କହିବା ପରେ ଉପରିସ୍ଥ ଅଧିକାରୀଙ୍କ ପାଇଁ ନେଉଥିବା ନେଇ ଅଧିକାରୀ ସ୍ପଷ୍ଟ କରିଥିଲେ। ଅବକାରୀ ଅଧିକାରୀଙ୍କ ସହିତ ଏକାଧିକ ବ୍ୟକ୍ତି ପେଟି ପେଟି ମଦ ନେଉଥିବାର ଦେଖିବାକୁ ମିଳିଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ୍‌ ଉକ୍ତ ମଦ ଦୋକାନଟିକୁ ସିଲ୍‌ କରି ଦେଇଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଉକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନିମଖଣ୍ଡି ପୋଲିସ୍‌ ଫାଣ୍ଡି କର୍ମଚାରୀ ନକଲି ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ବେଳେ ଅବକାରୀ ବିଭାଗ ଘର ଢିଙ୍କି କୁମ୍ଭୀର ସାଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related posts