ସାବଧାନ ରୁହନ୍ତୁ, ଡ୍ରୋନ୍‌ ନଜରରେ ଆପଣ: ଲକ୍‌ଡାଉନ୍‌ ପାଇଁ ରେଳଷ୍ଟେସନ୍‌ ସୁରକ୍ଷା ଦାୟିତ୍ବରେ ଡ୍ରୋନ୍‌

Published: Apr 19, 2020, 2:09 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସଜାଗ ହୋଇ ରୁହନ୍ତୁ, କାରଣ ଏବେ ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ୍‌। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବ ଡ୍ରୋନ୍‌।ଲକ୍ ଡାଉନ୍‌ ପରିପ୍ରେକ୍ଷୀରେ ସବୁ ଅଞ୍ଚଳରେ ପୋଲିସ୍‌ କର୍ମୀମାନେ ଯାଞ୍ଚକୁ କଡାକଡି କରିଛନ୍ତି। କିଛି ଅସାମାଜିକ ବ୍ୟକ୍ତିମାନେ ଆଜି ବି ତାଙ୍କ କାମରେ ଲିପ୍ତ ରହୁଛନ୍ତି। ଏଥିପାଇଁ ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି।

ଏହି ଡ୍ରୋନ୍‌ ଜରିଆରେ ବାଲୁଗାଁ ରେଳ ଷ୍ଟେସନରେ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରାଯାଇପାରିବ। ଏହି ଡ୍ରୋନ୍‌ ପ୍ରାୟ ୧ କିମି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବାରେ ସଫଳ ହେବ। ଏହା ଦ୍ବାରା ଯାତ୍ରୀ ଓ ରେଳ ଷ୍ଟେସନ୍‌ ସୁରକ୍ଷା ହେବା ସହିତ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକୁ ମଧ୍ୟ ନଜର ରଖାଯାଇପାରିବ ବୋଲି ବାଲୁଗାଁ ରେଳ ସୁରକ୍ଷା ବଳ ଆଇଆଇସି ମହେଶ୍ୱର ଚଣ୍ଡରାୟ କହିଛନ୍ତି। ଆସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବା ସହିତ ତାଙ୍କୁ ଧରିବାରେ ଏହି ଉପାୟଟି ବେଶ୍‌ ସଫଳ ହେବ। ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ଖୋର୍ଦ୍ଧା ରୋଡ ଡ଼ିଭିଜନ ଏଲ.ଏନ ସେଲ ଇନ୍ସପେକ୍ଟର ଏସ୍‌.କେ, ସାମଲ୍‌ ଓ ବାଲୁଗାଁ ରେଳ ସୁରକ୍ଷା କର୍ମୀଙ୍କ ଉପସ୍ଥିତିର ଇଞ୍ଜିନିୟର ସୋମ୍ୟରଞ୍ଜନ ନାୟକ ଏକ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି।

କରୋନା ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିବା କାରଣରୁ ଡ୍ରୋନ୍‌ ଜରିଆରେ ଉକ୍ତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି। ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ପକ୍ଷରୁ ଏହି ଡ୍ରୋନ୍‌ ପ୍ରଦାନ କରାଯାଇଛି। ଏହି ଡ୍ରୋନ୍‌ ସୁରକ୍ଷା ବ୍ୟବସ୍ଥା ପୂର୍ବତଟ ରେଳବାଇର ସମସ୍ତ ରେଳ ଷ୍ଟେସନ୍‌ରେ ଲାଗୁ କରାଯାଇଛି।

Related posts