ନାଭାଲ ଛକ ନିକଟରେ କାର୍‌-ତେଲ ଟ୍ୟାଙ୍କର ଧକ୍କା: ରାସ୍ତା ପାର୍ଶ୍ବରେ ଥିବା ଅଟୋ ଉପରେ ଚଢିଗଲା ଟ୍ୟାଙ୍କର୍‌

Published: Apr 20, 2020, 10:48 am IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା।

କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି  ଆହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ସ୍ବାମୀଙ୍କ  ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଥିବାବେଳେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଏହି ଘଟଣାର ତଦନ୍ତ କରୁଛନ୍ତି।

Related posts