ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 600 ଡେଇଁଲା

Published: Apr 21, 2020, 9:56 pm IST

ମୁମ୍ବାଇ : ଦେଶରେ ମହାମାରୀ କରୋନା ବେଶ୍‌ ଭୟଙ୍କର ଭାବରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଭାରତରେ କରୋନା ଯୋଗୁଁ 19 ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ 600ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ତେବେ କରୋନା ଯୋଗୁଁ ମହାରାଷ୍ଟ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ 5000ରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟରେ 251ଜଣଙ୍କର ଜୀବନ ଗଲାଣି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସମ୍ପର୍କିତ 552ଟି ନୂତନ ମାମଲା ଆସିଥଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେଉଛି । ମୁମ୍ବାଇରେ ଗତ ଚବିଶ ଘଣ୍ଟା ମଧ୍ୟରେ 419ଟି ମାମଲା ଆସିଥିବାବେଳେ 12 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ଆଜି 19 ଜଣଙ୍କର ମୃତ୍ୟୁ ହୋଇଛି ।  ଏଥିରେ 10 ଜଣ ପୁରୁଷ ଓ 9 ଜଣ ମହିଳା ରହିଛନ୍ତି ।  ସେହିପରି ମହାରାଷ୍ଟ୍ରରେ ଆଜି 150 ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମୁମ୍ବାଇ ସ୍ଥିତି ସରକାରୀ ବାସଭବନରେ ନିୟୋଜିତ ଥିବା ଦୁଇ ମହିଳା ପୋଲିସ୍‌ କର୍ମୀଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହା ପରେ ଏଠାରେ ନିୟୋଜିତ ଥିବା ଅନ୍ୟ ସମସ୍ତ 6 ପୋଲିସ୍‌ କର୍ମୀଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି ।

ସେହିପରି ମୁମ୍ବାଇର ଧାରାବୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 179ରେ ପହଞ୍ଚିଛି । (ଏଜେନ୍ସି)

Related posts