କଳାହାଣ୍ଡି ସୀମାନ୍ତ ଆମପାଣି ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ରାତି ଅଧିଆ ଫେରାର

Published: Apr 24, 2020, 1:25 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇଛି।  ଅଚାନକ ଭାବେ ଯଦି ସେଭଲି କିଛି ଲକ୍ଷଣ ଜଣାପଡିଲେ ସେଭଲି ବ୍ୟକ୍ତିକୁ ଏବଂ ରାଜ୍ୟ ବାହାରୁ କିମ୍ବା ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଭଲି ସ୍ଥିତିରେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଗତ ୨୨ ତାରିଖ ରାତିରେ ଅନ୍ତେବାସୀ ଥିବା ପାପଡାହାଣ୍ଡି ଅଂଚଳର ୨୫ ଜଣ ଶ୍ରମିକ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆମପାଣିସ୍ଥିତ ଏହି ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ବାହାରୁ ଆସିଥିବା ଜଣେ ମହିଳା ସମେତ ମୋଟ ୬୪ ଜଣ ଶ୍ରମିକଙ୍କୁ ରଖାଯାଇଥିଲା। ଫୁଲବାଣୀ ରୁ ୨୬ ଜଣ ଚାଲି ଚାଲି ନିଜ ଅଂଚଳ ପାପଡାହାଣ୍ଡିକୁ ଫେରୁଥିବା ବେଳେ ସୀମାନ୍ତରେ ମୂତୟନ ଥିବା ପୋଲିସ ହାତରେ ୨୦ ତାରିଖ ଦିନ ଧରାପଡିବା ପରେ ସେମାନଙ୍କୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରି ରଖାଯାଇଥିଲା। ହେଲେ ୨୩ ତାରିଖ ସକାଳୁ ସେମାନଙ୍କ ମଧ୍ୟରୁ ୨୫ ଜଣ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଥିଲା।

ଏଂପର୍କରେ ଖବର ପାଇ ଆମପାଣୀ ଥାନା ପୋଲିସ, କୋକସରା ତହସିଲଦାର ଓ ବିଡିଓ ଘଟଣାସ୍ଥଲରେ ଅନୁସନ୍ଧାନ କରିଥିଲେ। ଆମପାଣି ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥିବା ବେଳେ ସଂପୃକ୍ତ ଶ୍ରମିକମାନେ ପାପଡାହାଣ୍ଡି ଅଂଚଳସ୍ଥିତ ନିଜ ନିଜ ଘରକୁ ଫେରିଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ସଙ୍ଗରୋଧ କେନ୍ଦ୍ରରେ ଖାଇବା ପିଇବା ରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ଅସନ୍ତୋଷ ଥିବା ନେଇ ଆଲୋଚନା ହେବା ପରେ ଧର୍ମଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ଜଣେ ମହିଳା ସମେତ ୬୪ ଜଣଙ୍କ ପାଇଁ ମାତ୍ର ଦୁଇଟି ଶୌଚାଳୟ ଥିବା ହେତୁ ଅସୁବିଧା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଘରମୁହାଁ ଶ୍ରମିକ ଫୁଲବାଣିରୁ ଆମପାଣି ପର୍ଯ୍ୟନ୍ତ ଦୀର୍ଘ ପଥ ଚାଲି ଚାଲି ଆସିଯାଇଥିବା ବେଳେ ଆଉ ଅଳ୍ପ ଦୂରରେ ଥିବା ନିଜ ନିଜ ଘର ପରିବାରକୁ ପହଂଚି ଯିବାର ଲକ୍ଷ ନେଇ ଫେରାର ହୋଇଯାଇଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।
ସଂପ୍ରତି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଂଚଳରୁ ସେଠାରେ ରହିଥିବା ବ୍ୟକ୍ତି ମାନଙ୍କ ନମୁନା ସଂଗ୍ରହ କରାଯାଇ ୨୮ ଜଣକୁ ନିଜ ନିଜ ଅଂଚଳରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ୮ ଜଣ, କଳାହାଣ୍ଡିର ୨ଜଣ ଏବଂ ପାପଡାହାଣ୍ଡିର ଜଣେ ଏଭଲି ୧୧ ଜଣ ହିଁ ଆମପାଣି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି।

ଗତ ୧୯ ତାରିଖ ରାତିରେ ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ଫୁଲବାଣିରୁ ପାପଡାହାଣ୍ଡି ଚାଲି ଚାଲି ଯାଉଥିବା ୨୬ ଜଣ ଦିନ ମଜୁରିଆ ମାନଙ୍କୁ ଭବାନୀପାଟଣାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଅମୃତ ଅନ୍ନ ସେବା ଯୋଗାଇ ଦିଆଯାଇଥିବାର ସୋସିଆଲ ମିଡିଆରୁ ଜଣାପଡିଥିବା ବେଳେ ସମ୍ଭବତଃ ସେହି ୨୬ ଜଣ ଦିନ ମଜୁରିଆ ହିଁ ଚାଲି ଚାଲି ପାପଡାହାଣ୍ଡି ଯାଉଥିବା ବେଳେ ଆମପାଣି ଠାରେ ଧରାପଡି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ରାତିରେ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

Related posts