ପଞ୍ଜାବର ତୀର୍ଥଯାତ୍ରୀ ଦଳରୁ ଏକାଥରକେ 173 ଜଣ କରୋନା ପଜିଟିଭ୍‌

Published: May 1, 2020, 4:38 pm IST

ଚଣ୍ଡୀଗଡ : ପଞ୍ଜାବର ଏକ ତୀର୍ଥଯାତ୍ରୀ ଦଳରୁ 173 ଜଣ କରୋନା ପଜିଟିଭ୍‌ ବାହାରିବା ପରେ ଏହା ବର୍ତ୍ତମାନ ପଞ୍ଜାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମହାରାଷ୍ଟ୍ରର ନାନ୍ଦେଡ୍‌ରୁ ଫେରିଥିବା 4 ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏକା ଥରକେ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାନ୍ଦେଡ୍‌ର ହଜୁର ସାହିବ୍‌ ଗୁରୁଦ୍ବାରରୁ ଏହି ତୀର୍ଥଯାତ୍ରୀ ମାନେ ଫେରିଥିଲେ । ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲ୍‌ବୀର ସିଂ ସିଦ୍ଧୁ ଏହି ସୂଚନା ଦେଇଛନ୍ତି । ଏପ୍ରିଲ୍‌ 22 ତାରିଖରୁ ଏହି ତୀର୍ଥଯାତ୍ରୀ ଦଳ ପଞ୍ଜାବ ଫେରିଥିବା ବେଳେ 5 ଦିନ ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା । କ୍ବାରେଣ୍ଟାଇନ୍‌ରେ ବିଳମ୍ବ କାରଣରୁ ବର୍ତ୍ତମାନ ଏହି ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଅକାଳୀ ଦଳ । ତେବେ ମହାରାଷ୍ଟ୍ର ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ । ମହାରାଷ୍ଟ୍ର ସରକାର ତୀର୍ଥଯାତ୍ରୀ ମାନଙ୍କର କରୋନା ପରୀକ୍ଷଣ ନକରିବାରୁ ଏପରି ପରସ୍ଥିତି ଉପୁଜିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । (ଏଜେନ୍ସି)

Related posts