ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି – ଅରବିନ୍ଦ କେଜ୍‌ରୀଓ୍ବାଲ

Published: Mar 5, 2019, 4:56 pm IST
secret alliance between congress and bjp, says kejeriwal

କଂଗ୍ରେସ ଓ ଆମ୍‌ଆଦ୍‌ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ  ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ।  କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍‌କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି ।  ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍‌ରୀଓ୍ବାଲ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ  ଓ ଆପ୍‌ ସହ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର୍‌ ରହିଥିଲା । କିନ୍ତୁ ଆଜି କଂଗ୍ରେସର ଦିଲ୍ଲୀ ଅଧ୍ୟକ୍ଷା ଶୀଲା ଦୀକ୍ଷିତ୍‌ ଏହି ଗଠବନ୍ଧନରେ ବିରାମ ଲଗାଇ ଦେଇଛନ୍ତି । କିଛିବର୍ଷ ପୂର୍ବେ ଆପ୍‌ କଂଗ୍ରେସର ଦୃଢ ବିରୋଧ ରହିଥିଲା । ୨୦୧୩ ପୂର୍ବରୁ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ।  ୨୦୧୩ ବିଧାନସଭାରେ ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସକୁ ହରାଇକୁ ପ୍ରଥମଥର ପାଇଁ ଗୋଟେ ବଡ଼ ଦଳ ରୂପେ ଉଭା ହୋଇଥିଲା ଏହି ନିର୍ବାଚନରେ ଆପ୍‌ ୨୮ଟି ସିଟ୍‌ ଜିତିଥିବାବେଳେ କଂଗ୍ରେସ୍‌ ମାତ୍ର ୮ଟି ସିଟ୍‌ ପାଇଥିଲା । ମାତ୍ର ୪୭ ଦିନ ସରକାର ଚଳାଇବା ପରେ କେଜ୍‌ରୀଓ୍ବାଲ ଇସ୍ତଫା ଦେଇଦେଇଥିଲେ । ତା’ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହୋଇଥିଲା । ପୁନର୍ବାର ୨୦୧୫ରେ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ୬୭ ସିଟ୍‌ ଜିତି ସରକାର ଗଠନ କରିଥିଲା । ଏହି ନିର୍ବାଚନରେ କଂଗ୍ରେସ କୌଣସି ଆସନ ଜିତିନଥିବାବେଳେ ବିଜେପି ମାତ୍ର ତିନୋଟି ସିଟ୍‌ ପାଇଥିଲା ।

Related posts