ଆସନ୍ତା କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

Published: Mar 6, 2019, 12:57 pm IST

ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ  ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର  ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍‌,ଏବଂ କାଲ୍‌କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର  ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍‌ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ପୁରୁଣା ପ୍ରଶ୍ନପତ୍ର କିମ୍ବା ଗୁଜବ ଭାଇରାଲ୍‌ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ । ସେହିପରି ପ୍ରଶ୍ନପତ୍ରରେ କେବଳର ପରୀକ୍ଷାର୍ଥୀ ରୋଲ୍‌ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିପାରିବେ ନାହିଁ । ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ଏବଂ ପ୍ରାଣୀ ବିଜ୍ଞାନ (ଜୁଲୋଜି) ପରୀକ୍ଷା ମଧ୍ୟରେ ୨୦ ମିନିଟ୍‌ ବ୍ୟବଧାନ ରଖାଯାଇଛି ।  ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ୦୬୭୪-୨୩୦୩୮୦୩, ୨୩୦୦୦୯୯ ଦୁଇଟି ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି ।

Related posts