କର୍ଫ୍ୟୁ ସମୟରେ ବାଣପୁରରୁ ଗାଡି ଚୋରି

Published: May 31, 2020, 8:34 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ ଚନ୍ଦ୍ର ନାୟକ କେନ୍ଦ୍ରାପଡାରୁ ଫେରିବା ପରେ ଦକ୍ଷପ୍ରଜାପତି ମନ୍ଦିର ସାମ୍ନାରେ ଗାଡି ପାର୍କ କରିଥିଲେ। ପିକ୍‌ଅପ୍‌ ଭ୍ୟାନଟିକୁ ରାତି ୧୧ ଟା ସମୟରେ ଶେଷ ଥର ଦେଖିଥିବା ବେଳେ ସକାଳ 8ଟା ବେଳକୁ ଗାଡି ଉକ୍ତ ସ୍ଥାନରେ ନଥିଲା। ଗାଡିର କିଛି ଭଙ୍ଗା କାଚ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡି ମାଲିକ ବାଣପୁର ଥାନାରେ ଗାଡି ଚୋରି ନେଇ ଅଭିଯୋଗ କରିଥିଲେ।

ସେହିପରି ଅଲାଇଡିହ ନିକଟସ୍ଥ ସୁଜିତ କୁମାର ପାଢୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଚୋରି କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତେବେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଗାଡିଟିକୁ ବ୍ରାହ୍ମଣୀଦେବୀ ମିଷ୍ଟାନ୍ନ ଭଣ୍ଡାର ସାମ୍ନା ବାଇପାସ୍‌ ରାସ୍ତା କଡରେ ଛାଡି ପଳାଇଥିଲେ ଦୁର୍ବୃତ୍ତ। ଦୁଇଟି ଯାକ ଚୋରି ସମାନ ଦଳ ପକ୍ଷରୁ କରାଯାଉଥିବା ନେଇ ଅନୁମାନ କରାଯାଉଛି। ସୁଜିତ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଣପୁର ଭଗବତୀ ସାହିରୁ ଜଣକ ଘରୁ ଚୋରି ହୋଇଥିବା ବେଳେ ବଜାର ସାହିର ଜନୈକ ବ୍ୟକ୍ତିଙ୍କ ଘରେ ଚୋରି ଉଦ୍ୟମ କରାଯାଇଥିଲା। ଲକ୍‌ଡାଉନ୍‌ କାରଣରୁ ବଜାର ଘାଟ ବନ୍ଦରେ ଏପରି ଅସାମାଜିକ ତତ୍ତ୍ବଙ୍କ ବର୍ଦ୍ଧିତ ପ୍ରାଦୁର୍ଭାବ କାରଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ପ୍ୟାଟ୍ରୋଲିଂ ବଢାଇବା ପାଇଁ ଦାବି କରାଯାଉଛି।

Related posts