କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବିଜେପି ନେତା : ସସ୍ମିତ ପାତ୍ର

Published: Jun 16, 2020, 6:13 pm IST

ଭୁବନେଶ୍ବର : କରୋନା ପରୀକ୍ଷଣକୁ ନେଇ ବିଜେିପକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆର ପକ୍ଷରୁ କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ କୋଭିଡ୍‌ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ତେଣୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢିବା ଉଚିତ୍‌ ବୋଲି ସସ୍ମିତ୍‌ ମତ ଦେଇଛନ୍ତି । ରାଜ୍ୟରେ ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ ଜାରି ରହିଛି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ରାଜ୍ୟରେ ରାଣ୍ଡମ୍‌ (ମିଶାମିଶି) ପରୀକ୍ଷଣ କରାଯାଉଛି ।

ଓଡିଶାରେ ଦୈନିକ ପରୀକ୍ଷଣ ସଂଖ୍ୟା 15 ହଜାରକୁ ବୃଦ୍ଧି କରାଯାଇଛି । ଓଡିଶା ସରକାର ଉଭୟ କେନ୍ଦ୍ର ସରକାର ଏବଂ ଆଇସିଏମ୍‌ଆରର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷଣ କରୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ସ୍ପର୍ଶକାତର ମାମଲାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତା ମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ ବୋଲି ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି ।

କରୋନା ମୁକାବିଲାର ମଧ୍ୟବର୍ତ୍ତୀ ସ୍ଥିତିରେ ରହିଥିବା ବେଳେ ବିଜେପି ନେତାଙ୍କ ଏଭଳି ହୀନ ରାଜନୀତି ଗ୍ରହଣୀୟ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‌ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପଣେଇ ନାହାନ୍ତି । ଓଡିଶାର ଏହି ଅନନ୍ୟ ପଦକ୍ଷେପ କାରଣରୁ କରୋନା ମୁକାବିଲାରେ ରାଜ୍ୟ ଅନ୍ୟ ମାନଙ୍କଠାରୁ ଆଗୁଆ ରହିଛି । ଓଡିଶା ବ୍ୟତିତ ଦେଶର ଅନ୍ୟ କୌଣସି ରାଜ୍ୟରେ ଏହି ବ୍ୟବସ୍ଥା ହୋଇନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

Related posts