ଦେଶରେ ଗତ 24 ଘଣ୍ଟାରେ 375ଜଣଙ୍କର ଜୀବନ ନେଲାଣି କରୋନା, ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ନିକଟତର

Published: Jun 20, 2020, 10:29 am IST

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ପ୍ରଭାବ ବଢୁଥିବା ସହ ସାରା ବିଶ୍ବରେ ସଙ୍କଟ ବଢିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସଂଘାତିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 95 ହଜାର 48 ଜଣ ସଂକ୍ରମିତ ହୋଇଥିବାବେଳେ 12,948ଜଣଙ୍କର ମୃତ୍ୟୁହୋଇଛି । ସେହିପରି ଦୁଇ ଲକ୍ଷ 13 ହଜାର 830 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 14 ହଜାର 516ଟି ନୂତନ ମାମଲା ଆସିଥିବାବେଳେ 375ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ମାମଲା ରହିଥିବାବେଳେ ଏହା ପଛକୁ ରହିଛି ବ୍ରାଜିଲ୍‌, ରୁଷ୍‌ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 5893ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 2035, ଗୁଜୁରାଟରେ 1608, ତାମିଲନାଡୁରେ 666, ପଶ୍ଚିମବଙ୍ଗରେ 529, ମଧ୍ୟପ୍ରଦେଶରେ 495, ଉତ୍ତରପ୍ରଦେଶରେ 488ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts