ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ

Published: Jun 27, 2020, 4:15 pm IST

ପୁରୀ: ଆଜି ହେରା ପଞ୍ଚମୀ। ଆଷାଢ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ  ଠାକୁରାଣୀ କଳାଠାକୁରଙ୍କୁ ଦେଖା କରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସୁଥିବାରୁ ଏହାର ନାମ ହେରାପଞ୍ଚମୀ ରଖାଯାଇଛି ।

ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ  ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଥାନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି ।  ଅଭିମାନରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ବନ୍ଦାପନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି ।

କରୋନା ପାଇଁ କଟକଣା ଭିତରେ ଘୋଷ ଯାତ୍ରା ଆୟୋଜିତ ହୋଇଥିବାବେଳେ ଆଜି ବିଧି ମୁତାବକ ହେରାପଞ୍ଚମୀ ବିଧି ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା ଆଳତୀ ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ । ସେଠାରୁ ନାକଚଣା ଦ୍ୱାର ଦେଇ ମା’ ମହାଲକ୍ଷ୍ମୀ ରାଗରେ ଫେରି ଆସିବାବେଳେ ବାଟରେ ମହାପ୍ରଭୁଙ୍କ ରଥର କାଠ ଭାଙ୍ଗି ଦେବେ। ସେଠାରୁ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରସ୍ଥାନ କରିବେ। ସେହିପରି ତିନିରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ ।

Related posts