
ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ସୋସିଆଲ ମିଡିଆରେ ହିଁ ଜୋରଦାର ହେବ। କରୋନା ସଂକ୍ରମଣ ଯଦି ଜାରି ରହେ, ତେବେ ସବୁ ଦଳ ସୋସିଆଲ ମିଡିଆ ଜରିଆରେ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ରାଜ୍ୟରେ ହେଉଥିବା ସୋସିଆଲ ମିଡିଆ ପ୍ରଚାରରେ ବିଜେପି ଅନ୍ୟ ସବୁ ଦଳଠାରୁ ଆଗରେ ରହିଛି। ଅବଶ୍ୟ ଜନତା ଦଳ (ସଂଯୁକ୍ତ) ବି ବିଜେପି ଭଳି ସୋସିଆଲ ମିଡିଆର ବ୍ୟବହାର କରୁଛି ଏବଂ ଭର୍ଚୁଆଲ ରାଲି ଆୟୋଜନ କରୁଛି।
ଦେଶବ୍ୟାପୀ ୬୦ଟି ଭର୍ଚୁଆଲ ରାଲି ସଫଳତାର ସହ ଆୟୋଜନ କରିବା ପରେ ବିଜେପି ଏବେ ବିହାର ଉପରେ ଫୋକସ୍ କରିଛି। ଏଥିପାଇଁ କେବଳ ବିହାରରେ ୯ ହଜାର ୫୦୦ ଆଇଟି ସେଲ୍ ମୁଖ୍ୟ ନିଯୁକ୍ତ କରିଛି। ଏମାନେ ସମସ୍ତେ ଆସନ୍ତା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର କରିବେ।
ଏହାବାଦ୍ ବିଜେପି ନିର୍ବାଚନ ମଣ୍ଡଳୀର ପ୍ରତିଟି ବୁଥ୍ ପାଇଁ ହ୍ବାଟସ ଆପ୍ ଗୃପ୍ ଗଠନ କରିବାକୁ ଯାଉଛି। ଗତ ଦୁଇ ମାସରେ ଏପରି ୫୦ ହଜାର ହ୍ବାଟସ ଆପ୍ ଗୃପ୍ ସୃଷ୍ଟି କରି ସାରିଲାଣି, ଆହୁରି ୭୨ ହଜାର ଗୃପ୍ କରିବାକୁ ଉଦ୍ୟମ ଚଳାଇଛି। ଏହିସବୁ ଗୃପ୍ ଜରିଆରେ ଦଳ ବରିଷ୍ଠ ନେତାମାନଙ୍କ ଭିଡିଓ କ୍ଲିପ, ଭାଷଣ ଭୋଟରଙ୍କ ପାଖରେ ପହଞ୍ଚାଇବ। ସମସ୍ତ ଆଇଟି ସେଲ୍ ମୁଖିଆ ଦଳର ଜାତୀୟ ଆଇଟି ସେଲ୍ ଅଧିନରେ ପରିଚାଳିତ ହେବେ। ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଭର୍ଚୁଆଳ ରାଲି ଆୟୋଜନ କରାଯିବ, ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ଉଦବୋଧନ ଦେବେ।(ଏଜେନସି)