ବାଣପୁର ସବଜେଲରେ କଏଦୀଙ୍କୁ କରୋନା: କ୍ଵାରେଣ୍ଟିନକୁ ଗଲେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହ ସମସ୍ତ କର୍ମଚାରୀ

Published: Jul 13, 2020, 11:00 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବାଣପୁରରେ ଆଉ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି। ବାଣପୁର ସବ ଜେଲକୁ ମଧ୍ୟ କରୋନା ଭୂତାଣୁ ଛୁଇଁଛି।

ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ହେଲେ କଏଦୀ ଜଣକ ଜାମିନୀ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୋଶଳପଦ୍ମିନୀ ଦଳବେହେରା କହିଛନ୍ତି।

ସୂଚନା ନେବାରୁ ଜଣାପଡିଛି ଯେ ବାଣପୁର ସବ ଜେଲରେ ବର୍ତ୍ତମାନ ସମୁଦାୟ ୧୬୬ ଜଣ କଏଦୀ ଅଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ କଏଦୀ ୩0 ଜଣ ଥିବା ବେଳେ ବିଚାରାଧୀନ କଏଦୀ ଅଛନ୍ତି ୧୩୬ ଜଣ। କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ କଏଦୀଙ୍କ ସ୍ୱାବ ଟେଷ୍ଟ ପାଇଁ ସରକାରଙ୍କୁ ଲିଖିତ ଆକାରରେ ଅନୁରୋଧ କରିଥିଲେ। ସେହିକ୍ରମେ ଗତ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। କିନ୍ତୁ ଉକ୍ତ ବିଚାରାଧୀନ କଏଦୀ ଆଜି ଜାମିନୀରେ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାର ସୂଚନା ମିଳିଛି।

ଆକ୍ରାନ୍ତ ଜଣଙ୍କ ରହୁଥିବା ଗୃହରେ ସମସ୍ତ ୮ ଜଣ କଏଦୀ କ୍ଵାରେଣ୍ଟିନରେ ରହିବାସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀମାନେ ଏବେ ହୋମ କୱାରେଣ୍ଟିନରେ ଅଛନ୍ତି। ଆସନ୍ତାକାଲି ସମସ୍ତଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ଜେଲ କର୍ତ୍ତୃପକ୍ଷ ସମୀକ୍ଷା ନିୟୁଜକୁ ସୂଚନାଦେଇଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଇଂଜନପୁର ଟି.ଏମ.ସିରେ କୱାରେଣ୍ଟିନରେ ରଖାଯାଇଛି ଏବଂ ଆସନ୍ତାକାଲି ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ ଏବଂ ଅନ୍ୟମାନଙ୍କ ସ୍ୱାବ ଟେଷ୍ଟିଙ୍ଗ କରାଯିବା ବୋଲି ଅଠରବାଟିଆ ସରପଞ୍ଚ ଶ୍ରୀମତୀ ଇନ୍ଦୁ ଜାଲୀ ସୂଚନା ଦେଇଛନ୍ତି।

ତେବେ ବାଣପୁର ସବ ଜେଲରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସେଠାରେ ଥିବା ୧୬୬ ଜଣ କଏଦୀ କିପରି ସଂକ୍ରମିତ ନହେବେ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।

 

Related posts