ଚିଲିକା ବ୍ଲକ ପ୍ରଶାସନର ଖାମଖିଆଲୀ ନୀତି : ବ୍ଲକ କାର୍ଯ୍ୟାଳୟର ଅଳିଆ ଗଦାରେ ଆବାସ ଯୋଜନା ଫର୍ମ

Published: Jul 15, 2020, 3:41 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କ ପାଇଁ ରାସନ କାର୍ଡ ସହ ଆବାସ ଯୋଜନା ପରି ଅନେକଗୁଡିଏ ଯୋଜନା ଆଦି କରାଯାଇଛି । ଯୋଗ୍ୟ ହିତାଧିକାରୀ ଆବେଦନ କରି ଏହି ଯୋଜନା ପାଇବାକୁ ହକଦାର ହେଉଛନ୍ତି । କିନ୍ତୁ ଅନେକ ସମୟରେ ସରକାରୀ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାମାନ ମିଳୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍‌ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଆଉ କେଉଁଠି ହିତାଧିକାରୀଙ୍କ ଫର୍ମଗୁଡିକୁ ଅଳିଆଗଦାରେ ପକାଉ ଦେଉଛନ୍ତି ।  ଠିକ୍‌ ଏହିପରି ଏକ ଘଟଣା ଚିଲିକା ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ ବ୍ଳକ କାର୍ଯ୍ୟାଳୟରେ ହିତାଧିକାରୀଙ୍କ  ଆବେଦନ ପତ୍ରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା ।

ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାମ ପାଇଁ 4 ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ ଓ କୁମାଣ୍ଡଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବ୍ଲକକୁ ଯାଇଥିବାବେଳେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ 40ରୁ ଉର୍ଦ୍ଧ୍ବ ଆବାସ ଯୋଜନା ଫର୍ମ ଓ ରାସନ କାର୍ଡ ଫର୍ମଗୁଡିକ ପଡିଥିବାର ଦେଖିଥିଲେ । ପାଖରେ ନିଆଁ ଲଗାଯାଇଥିବାବେଳେ ଏହି ଫର୍ମଗୁଡିକ ଏପରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖି ସେମାନେ ବ୍ଲକର ଏକ କର୍ମଚାରୀଙ୍କୁ ଏନେଇ ଅବଗତ କରାଇଥିଲେ । ଏହାପରେ କର୍ମଚାରୀ ଜଣକ ଉକ୍ତ ଫର୍ମଗୁଡିକୁ ଗୋଟାଇ ସଂଗ୍ରହ କରିଥିଲେ । କିଛି ଫର୍ମ ନିଆଁରେ ପୋଡି ହୋଇଯାଇଥିବାର ମଧ୍ୟ ଅନୁମାନ କରାଯାଉଛି । ତେବେ ବ୍ଲକ ପ୍ରଶାସନର ଏପରି ଖାମଖିଆଲି ନୀତିକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ସରକାର ବଦ୍ଧ ପରିକର ଥିବାବେଳେ ସ୍ଥାନୀୟ ପ୍ରଶାସନର ଏପରି ଉଦାସୀନତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ବ୍ଲକ ପ୍ରଶାସନ ହିତାଧିକାରୀଙ୍କଠାରୁ ଫର୍ମ ତ ଗ୍ରହଣ କରୁଛନ୍ତି, କିନ୍ତୁ ଧର୍ମକୁ ଆଖିଠାର ପରି ସେଗୁଡିକୁ ଅଳିଆ ଗଦାରେ ପକାଇ ଦେଉଛନ୍ତି । ବ୍ଲକ ପ୍ରଶାସନରେ ଏଭଳି କାର୍ଯ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛି । ତେବେ ଏହି ଫର୍ମଗୁଡିକୁ କିଏ କାହିଁକି ସେଠାରେ ପକାଇଥିଲେ, ତାହାର ତଦନ୍ତ ହେବା ନିତାନ୍ତ ଜରୁରୀ । ସେହିପରି ବ୍ଲକ କାର୍ଯ୍ୟାଳୟରେ ଏପରି ବେଖିଆଲ କାର୍ଯ୍ୟକୁ ନେଇ ବ୍ଲକ ପ୍ରଶାସନ ନିଜର ଜବାବ ରଖିବା ଆଜିର ସମୟରେ ବଡ ଆବଶ୍ୟକତା ହୋଇଛି ।

Related posts